ସଂସ୍କାର : ଉତ୍ତରପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ୟୁପିର ଏକ ଗ୍ରାମରେ ହୋଇଛି ନିଆରା ବିବାହ। ଆଉ ଏହି ବିବାହରେ ଦୁଇ ପରିବାର ମଧ୍ୟ ଖୁସି ଅଛନ୍ତି। ନିକଟରେ ୟୁପିର ରାମପୁରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଏଠାରେ ଜଣେ ୯୦ ବର୍ଷର ବୃଦ୍ଧ ସହିତ ୭୫ ବର୍ଷର ଜଣେ ବୃଦ୍ଧା ବିବାହ କରିଛନ୍ତି। ଏହି ବିବାହକୁ ଦେଖିଲେ ହିନ୍ଦୀର ଗୋଟିଏ ପ୍ରହେଳିକା ମନେ ପଡ଼ିଯାଏ । ତାହା ହେଲା ” ଉମ୍ର ପଚପନକି ଦିଲ୍ ବଚପନ କା ” । ଏହି ବିବାହଟି ଦେଖିଲା ପରେ ସତରେ ଏଭଳି ମନେ ହେଉଛି।
ସୂଚନା ଅନୁଯାୟୀ , ବିବାହ କରୁଥିବା ବୃଦ୍ଧଙ୍କର ୫ ଜଣ ଝିଅ ଥିବା ବେଳେ ସମସ୍ତେ ବିବାହ କରି ସାରିଛନ୍ତି। ବର୍ତ୍ତମାନ ବୃଦ୍ଧଙ୍କର ଦେଖାଶୁଣା କରିବାକୁ କେହି ନ ଥିବାରୁ ଝିଅମାନଙ୍କ ସହମତି କ୍ରମେ ବୃଦ୍ଧ ଜଣକ ବିବାହ କରିଥିବା କଥା କହିଛନ୍ତି । ଉତ୍ତର ପ୍ରଦେଶ ରାମପୁର ଥାନା ନରଖେଡି ଗାଁର ୯୦ ବର୍ଷିୟ ଶାଫି ଅହମ୍ମଦଙ୍କ ୫ ଝିଅ ଥିବା ବେଳେ ସ୍ତ୍ରୀଙ୍କର ପରଲୋକ ହୋଇଯାଇଛି । ଏବେ ଝିଅମାନେ ତାଙ୍କର ଦେଖାରଖା କରୁଥିଲେବି ଜଣେ ଜୀବନସାଥି ଟିଏ ମନେ ମନେ ଖୋଜୁଥିଲେ ଶାଫି । ଆଉ ଏଥିରେ ଝିଅମାନେ ସହମତ ହେବାରୁ ସେ ୭୫ ବର୍ଷୀୟା ଆୟଶାଙ୍କୁ ବିବାହ କରିଛନ୍ତି।
ଆୟଶା ନିରାଶ୍ରୟ ହୋଇଥିବା ବେଳେ ଶାଫି ତାଙ୍କ ପାଇଁ ସାହାର ବୋଲି ଭାବି ସେ ବିବାହ କରିଥିବା କହିଛନ୍ତି । ଏଥିରେ ଉଭୟ ଖୁସି ଅଛନ୍ତି। ବାକି ଜୀବନ ଆୟଶା ଓ ଶାଫି ଦୁହେଁ ଦୁହିଁଙ୍କର ସାହାରାରେ ବଞ୍ଚିଯିବେ ବୋଲି ଆଶା କରିଛନ୍ତି।