ସଂସ୍କାର : ୨୦ ବର୍ଷ ପରେ ମଧ୍ୟ ଆଦୌ ପରିବର୍ତ୍ତନ ହୋଇନାହାନ୍ତି ତାଲିବାନ ଆତଙ୍କବାଦୀ। ସେମାନେ ୨୦ ବର୍ଷ ପୂର୍ବରୁ ଯେପରି ନୃଶଂସ ଥିଲେ, ଠିକ୍ ସେହିଭଳି ଆଜି ବି ନୃଶଂସ ଓ ରାକ୍ଷସ ରହିଛନ୍ତି। ଏକଥା କହିଛନ୍ତି ଖାତେରା ହାସିମା ନାମ୍ନୀ ଜଣେ ମହିଳା। ଏହି ମହିଳା ଜଣଙ୍କ ଆଫଗାନିସ୍ତାନର ପୋଲିସ ବିଭାଗରେ କାର୍ଯ୍ୟରତ ଥିଲେ। ଖତେରାଙ୍କ ମୁହଁରେ ତାଲିବାନ ବର୍ବରତା କାର୍ଯ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି। କାରଣ ସେ ଗର୍ଭବତୀ ଥିବାବେଳେ ତାଲିବାନମାନେ ତାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିଲେ। ତାଙ୍କ ମୁଣ୍ଡରେ ଅନେକ ଥର ବନ୍ଧୁକ ରଖି ମାରିଦେବାକୁ ଧମକଚମକ ଦେଉଥିଲେ। ଶେଷରେ ଖାତେରା ହାସିମାଙ୍କୁ ବନ୍ଧୁକ ମୁନରେ ରଖି ତାଙ୍କର ଆଖି ବାହାର କରିଦେଇଥିଲେ ନୃଶଂସ ତାଲିବାନୀ।
ଖାତେରା ହାସିମାଙ୍କ କହିବା ଅନୁଯାୟୀ ଜଣେ ମହିଳା ଘରୁ ବାହାରିବାର ଅର୍ଥ ତାଲିବାନଙ୍କ ଦୃଷ୍ଟିରେ ସବୁଠାରୁ ବଡ ପାପ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ସହ ଏକ ବାର୍ତ୍ତାଳାପରେ ଖାତେରା ତାଙ୍କ ସହ ତାଲିବାନିମାନେ ଘଟାଇଥିବା ଅତ୍ୟାଚାରର କାହାଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହ ଯାହା ଆଜି ଘଟିଛି ତାହା ଆଜି ମଧ୍ୟ ଆଫଗାନିସ୍ତାନର ଅନେକ ମହିଳାଙ୍କ ସହ ଘଟୁଛି। କିନ୍ତୁ ସେହି ମହିଳାମାନେ କାହାକୁ କିଛି କହିପାରୁନାହାନ୍ତି। ସୂଚନା ଥାଉ ଯେ, ଖାତେରା ହାସିମା ବର୍ତ୍ତମାନ ଭାରତରେ ଅଛନ୍ତି କିନ୍ତୁ ତାଙ୍କର ଆଖି ବର୍ତ୍ତମାନ ନଷ୍ଟ ହୋଇସାରିଛି। ଏହି ସାକ୍ଷାତକାର ସମୟରେ ସେ ତାଙ୍କ ସହିତ ହୋଇଥିବା ଅତ୍ୟାଚାରକୁ ମନେ ପକାଇ କାନ୍ଦି ଉଠିଥିଲେ। ସେ କହିଛନ୍ତି ଯେ ଇସଲାମ ନାମରେ ତାଲିବାନ ଆଫଗାନିସ୍ତାନ ଲୋକଙ୍କୁ ଭୟଭୀତ କରିଛି।
ତେବେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଏହି ଅତ୍ୟାଚାର ବଢ଼ିବାରେ ଲାଗିଛି। ସେଠାକାର ମହିଳାମାନେ ତାଲିବାନଙ୍କ ଭୟରେ ବାହାରକୁ ବାହାରିପାରୁନାହାନ୍ତି। ଯଦି ବା କେହି ବାହାରେ ତେବେ ତାକୁ ଅତ୍ୟାଚାର ଦେଉଛନ୍ତି ଏହି ନୃଶଂସ ତାଲିବାନୀ।