ସଂସ୍କାର : କରୋନା କାରଣରୁ ବଢିଯାଇଛି ସାଇବର ଠକଙ୍କ ଲୁଟପାଟ୍ । ପ୍ରତି ଘଣ୍ଟାରେ କେଉଁଠି ନା କେଉଁଠି ସାଇବର ଠକ ମାନେ ନିଜର ଲୁଟ୍ କରିବା ପ୍ରକ୍ରିୟାକୁ ଲାଗୁ କରୁଛନ୍ତି। କାହାକୁ ଫୋନ ପେ ମାଧ୍ୟମରେ ତ ଆଉ କାହାକୁ ଗୁଗୁଲ ପେ ଓ ପେଟିଏମ୍ ମାଧ୍ୟମରେ ଲୁଟୁଛନ୍ତି ସାଇବର ଠକ। କିନ୍ତୁ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ଟାଟା ପାୱାରର ଅଧିକାରୀଙ୍କୁ କ୍ରେଡିଟ୍ କାର୍ଡ ବାହାନାରେ ଲୁଟିଛନ୍ତି ସାଇବର ଠକ। କ୍ରେଡିଟ୍ କାର୍ଡ ର ବିଲ୍ ଦେବା ନାଁରେ ଲୁଟ୍ ପ୍ରାୟ ଲକ୍ଷେ ୩୬ ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଲୁଟେରା।
ଠକେଇର ଶିକାର ହୋଇଥିବା ଅଧିକାରୀ ଜଣଙ୍କ ହେଲେ ପ୍ରଶାନ୍ତ କୁମାର ପତି। ତେବେ ଲୁଟର ଶିକାର ହେବା ପରେ ଶ୍ରୀ ପତି ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଆଉ ତାଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଏକ ମାମଲା ରୁଜୁ କରିଛି। ସୂଚନା ଅନୁସାରେ, ଅଭିଯୋଗକାରୀ ଶ୍ରୀ ପତିଙ୍କର ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର କ୍ରେଡିଟ୍ କାର୍ଡ ରହିଛି। କ୍ରେଡିଟ୍ କାର୍ଡ ବିଲ୍ ଭରିବା ସମ୍ପର୍କରେ ତାଙ୍କ ନିକଟକୁ ଗତକାଲି ଏକ ଫୋନ କଲ୍ ଆସିଥିଲା।
ମାତ୍ର ଗତମାସ ୨୭ ତାରିଖରେ ସେ ବିଲ୍ ଦେଇଥିବା କହିଥିଲେ। କିନ୍ତୁ ଠକ ତାଙ୍କୁ ବିଲ୍ ନଦେଲେ ଅଧିକ ସୁଧ ପଡ଼ିବ ବୋଲି କହି ଡରାଇଥିଲା। ପ୍ରଶାନ୍ତ ହଡ଼ବଡ଼େଇ ଯାଇ ଠକ କହିବା ମୁତାବକ କ୍ରେଡିଟ୍ କାର୍ଡ ନମ୍ବର, ଫୋନ୍ ନମ୍ବର ଦେଇଥିଲେ। ଫୋନକୁ ଆସିଥିବା ଓଟିପି ନମ୍ବର ମଧ୍ୟ ଦେଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩୬ ହଜାର ଟଙ୍କା କଟି ଯାଇଥିଲା। ଆଉ ସଙ୍ଗେ ସଙ୍ଗେ ସେ ଜାଣିପାରିଲେ ଯେ, ତାଙ୍କ ସହିତ ଠକେଇ ହୋଇଛି। ଆଉ ସାଇବର ଠକ ତାଙ୍କୁ ଲୁଟି ଦେଇଛି। ତେଣୁ ସଂଗେ ସଂଗେ ସେ ପୋଲିସ୍ ଷ୍ଟେସନକୁ ଧାଇଁ ଆସିଥିଲେ ଅଭିଯୋଗ କରିବା ପାଇଁ।
ତେବେ ସାଇବର ଠକଙ୍କର ଏହି ଲୁଟ୍ କରିବା ଅନ୍ଦାଜ ନୂଆ ନୁହଁ, ସେମାନେ ଅନେକଙ୍କୁ ଏପରି କଲ୍ କରି ଡ଼ରାଇ ଧମକାଇ ମୋଟା ରକମର ଟଙ୍କା ଲୁଟ କରି ଉଭାନ ହୋଇଯାଆନ୍ତି। ତେଣୁ ଆମକୁ ହିଁ ସାବଧାନ ରହିବା ପାଇଁ ପଡିବ।