ଜଣେ ଗ୍ରାହକଙ୍କୁ ମାଡ଼ ମାରିଲେ ହୋଟେଲ ଖୋଲିଥିବା ବାପାପୁଅ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସଂସ୍କାର : ବର୍ବରତାର ସୀମା ଟପିଲେ ରାସ୍ତାକଡ଼ରେ ହୋଟେଲ ଖୋଲିଥିବା ବାପାପୁଅ। ମାତ୍ର ୫ ଟଙ୍କା ପାଇଁ ଜଣେ ଗ୍ରାହକଙ୍କୁ ନିର୍ଧୂମ ମାଡ଼ ମାରି ଭୁଲିଗଲେ ମାନବିକତା। ଗ୍ରାହକ ବେଶରେ ଆସିଥିବା ଜଣେ ଯୁବକଙ୍କୁ ତଳେ ପକାଇ କଚାଡି କଚାଡି ପିଟିଲେ ହୋଟେଲ ମାଲିକ ଏବଂ ତାଙ୍କ ପୁଅ। ଯୁବକ ଜଣକ ତାଙ୍କୁ ନ ମାରିବା ପାଇଁ ହୋଟେଲ ମାଲିକଙ୍କ ଗୋଡ଼ହାତ ଧରି ଯେତେ ନେହୁରା ହେଲେ ମଧ୍ୟ କିଛି ଶୁଣି ନ ଥିଲେ ନିଷ୍ଠୁର ହୋଟେଲ ମାଲିକ ଏବଂ ତାଙ୍କ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ଲକ୍ଷ୍ମୀବଜାର ନିକଟରେ।

ଘସିପୁରା ଲକ୍ଷ୍ମୀବଜାରରେ ଥିବା “ମା ହୋଟେଲ”କୁ ଶନିବାର ଅପରାହ୍ନ ୩ଟା ସମୟରେ ପୋଡ଼ାଖମଣ ଗ୍ରାମର ଜିତେନ୍ଦ୍ର ଦେହୁରୀ ନାମ୍ନୀ ଜଣେ ଯୁବକ ଖାଇବାକୁ ଯାଇଥିଲେ। ଜିତେନ୍ଦ୍ର ଖାଇବାକୁ ମାଗିବାରୁ ତାଙ୍କୁ ହୋଟେଲ ମାଲିକ ଭାତ, ଡାଲି, ତରକାରି ଏବଂ ଖଟା ଖାଇବାକୁ ଦେଇଥିଲେ। ତେବେ ଖାଇସାରିବା ପରେ ଜିତେନ୍ଦ୍ରଙ୍କ ବିଲ ହୋଇଥିଲା ୪୫ ଟଙ୍କା। ହୋଟେଲ ମାଲିକ ମଧୁ ସାହୁ ଜିତେନ୍ଦ୍ରଙ୍କୁ ୪୫ଟଙ୍କା ମାଗିଥିଲେ। କିନ୍ତୁ ଜିତେନ୍ଦ୍ରଙ୍କ ପାଖରେ ୪୦ ଟଙ୍କା ଥୁବାରୁ ସେ ସେତେକ ଦେଇ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ବାହାରିଥିଲେ। ଆଉ ବାକି ୫ ଟଙ୍କା ସନ୍ଧ୍ୟାରେ ଦେବେ ବୋଲି ଜିତେନ୍ଦ୍ର ହୋଟେଲ ମାଲିକ ମଧୁ ସାହୁଙ୍କୁ କହିଥିଲେ। କିନ୍ତୁ ହୋଟେଲ ମାଲିକ କହିଥିଲେ ଯେ ତାଙ୍କୁ ବର୍ତ୍ତମାନ ହିଁ ୫ ଟଙ୍କା ଦରକାର । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମଧୁ ଓ ତାଙ୍କ ପୁଅ ଜିତେନ୍ଦ୍ରଙ୍କୁ ରାସ୍ତା ଉପରକୁ ଆଣି ଅତି ଅମାନୁଷିକ ଭାବେ ନିର୍ଧୂମ ପିଟିଥିଲେ। ତାଙ୍କ ସାର୍ଟ ଚିରିଦେବା ସହ ପିଠିକୁ ବାଡ଼ିରେ ପିଟିଥିଲେ। ତେବେ ବାପପୁଅ ମାଡ଼ ମାରୁଥିବାବେଳେ ପାଖରେ ଉପସ୍ଥିତ ଥିବା କିଛି ଲୋକ ନିରବଦ୍ରଷ୍ଟା ସାଜିଥିଲେ। ଛଡ଼ାଇବା ପାଇଁ କେହି ଆସି ନ ଥିଲେ।

ଏହି ସମୟର ଏକ ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଜିତେନ୍ଦ୍ର ଏ ନେଇ ଶନିବାର ସନ୍ଧ୍ୟାରେ ଘସିପୁରା ଥାନାରେ ଅଭିଯୋଗ କରିବା ପରେ ଏସ୍‌ଆଇ ମାନସ ରଞ୍ଜନ ପଣ୍ଡା ଓ ତାଙ୍କ ପୋଲିସ୍ ଟିମ୍ ସନ୍ଧ୍ୟାରେ ହୋଟେଲ ମାଲିକ ମଧୁ ସାହୁ ଓ ତାଙ୍କ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏସ୍‌ଆଇ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ, ହୋଟେଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଓ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *