ସଂସ୍କାର : ଗତ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି ତାଲିବାନ । ଆଉ ତାଲିବାନ ଶାସନର କରାଳ ରୂପକୁ ଆଖି ଆଗରେ ପୂର୍ବରୁ ଦେଖିଛନ୍ତି ଆଫଗାନିସ୍ତାନର ଅନେକ ବରିଷ୍ଠ ଲୋକ। ତେଣୁ ଏଥର ସେ ଭୁଲ୍ ନ କରି ଅନେକ ଲୋକ ଦେଶ ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି। ଆଫଗାନିସ୍ତାନରେ ବର୍ତ୍ତମାନ ମଧ୍ୟ ଅନେକ ଲୋକ ରହିଛନ୍ତି ଯେଉଁମାନେ କି ଦେଶ ଛାଡି ଯାଇପାରିନାହାନ୍ତି। ତେବେ ସେମାନଙ୍କୁ ବର୍ତ୍ତମାନ ତାଲିବାନମାନେ ଅତ୍ୟାଚାର କରିବା ଆରମ୍ଭ କରିଦେଲେଣି। ବାକି ରହିଯାଇଥିବା ଅନେକ ଲୋକଙ୍କୁ ତାଲିବାନିମାନେ ମାଡ଼ ମାରିବା ସହିତ ଜୀବନରୁ ମଧ୍ୟ ମାରିଦେଉଛନ୍ତି।
ସୂଚନାଅନୁଯାୟୀ, ପଞ୍ଜଶୀର କବଜା କରିବା ପରେ ତାଲିବାନମାନେ ବର୍ତ୍ତମାନ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କୁ ରକ୍ତରେ ଲାଲ କରିଦେଉଛନ୍ତି ତାଲିବାନି। ସେମାନଙ୍କୁ ଜୀବନରୁ ହତ୍ୟା କରୁଛନ୍ତି ଏହି ଆତଙ୍କୀଗୋଷ୍ଠି। ଅନ୍ତଜାତୀୟ ଗଣମାଧ୍ୟମ ବିବିସି ର ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ଜଣ ନାଗରିକଙ୍କୁ ହତ୍ୟା କରି ସାରିଲେଣି।
ରେଜିଷ୍ଟାନ୍ସ ଫୋର୍ସର ସୈନ୍ୟଙ୍କୁ ମୋବାଇଲ ସିମ ବିକ୍ରୀ କରିବା ଅଭିଯୋଗରେ ତାଲିବାନମାନେ ଅନେକ ଦୋକାନୀଙ୍କୁ ହତ୍ୟା କରିଛନ୍ତି। ଆହୁରି ଅନେକ ଯୁବକଙ୍କୁ ତାଲିବାନ ଗୋଷ୍ଠୀରେ ସାମିଲ ହେବାକୁ ବାଧ୍ୟ କରାଯାଉଛି। ଆଉ ଯେଉଁ ମାନେ ସେହି ନିଷ୍ଟିରୁ ତାଲିବାନଙ୍କ କଥା ଶୁଣନ୍ତି ନାହିଁ , ସେମାନଙ୍କୁ ରାସ୍ତା କଡରେ ହିଁ ଗୁଳି କରି ହତ୍ୟା କରୁଛନ୍ତି ତାଲିବାନି। ତେବେ ତାଳିବାନଙ୍କ ଏହି କାର୍ଯ୍ୟ ଗୁଡିକ ବିଭିନ୍ନ ଦେଶର ଚିନ୍ତା ବଢାଇଛି।