ହୁସିଆର ଭୁବନେଶ୍ୱରିଆ : ହାତରେ ହୋମ କ୍ଵାରେଣ୍ଟିନ ଷ୍ଟାମ୍ପ ବାଜିଛି, ତଥାପି ରାଜଧାନୀ ରାସ୍ତାରେ ବୁଲୁଛନ୍ତି ପ୍ରବାସୀ

ରାଜ୍ୟ ହେଉ କି ଦେଶ ଚାରିଆଡ଼େ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାମାଜିକ ଦୂରତା କିପରି ଲୋକେ ପାଳନ କରିବେ ତେଣୁ ସରକାରଙ୍କ ତରଫରୁ ନାନା ପ୍ରକାର କଟକଣା ଲାଗୁ କରାଯାଉଛି । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ସରକାରୀ କିମ୍ବା ହୋମ୍‌ କ୍ୱାରେଣ୍ଟିନରେ ରଖିବାର ବନ୍ଦୋବସ୍ତ କରାଯାଇଛି । ତଥାପି କିଛି ବେପରୁଆ ପ୍ରବାସୀ ଏ କଟକଣାକୁ ମାନୁ ନାହାନ୍ତି । BMC ଷ୍ଟିକର ଲାଗିଥିବା କିଛି ଲୋକ କ୍ୱାରେଣ୍ଟାଇନ୍‌ ପିରିୟଡରେ ଥାଇ ବି ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀରେ ବୁଲାବୁଲି କରିବା ନଜରକୁ ଆସିଛନ୍ତି ।

BMC ସୂଚନାନୁଯାୟୀ ଜୁନ ୨ରେ ଦୁଇ ଜଣ ବ୍ୟକ୍ତି କୋଲକାତାରୁ ଟ୍ରେନରେ ଭୁବନେଶ୍ୱର ଫେରିଥିଲେ ଓ ସରକାରୀ ନିୟମାନୁଯାୟୀ ହୋମ୍‌ କ୍ଵାରେଣ୍ଟିନରେ ଥିଲେ । ତାଙ୍କ କ୍ଵାରେଣ୍ଟିନ ଅବଧି ଜୁନ ୮ରୁ ୨୧ ତାରିଖ ଯାଏ ରହିଥିଲାବେଳେ ସେମାନେ ଘର ବାହାରେ ବୁଲାବୁଲି କରିବା ନଜରକୁ ଆସିଛି ।

କେବଳ ସେତିକି ନୁହେଁ ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀ ସ୍ଥିତ ଏକ ଅଫିସକୁ ସେମାନେ ଯିବାଆସିବା ବି କରୁଛନ୍ତି ଯାହାକୁ ନେଇ କର୍ମଚାରୀମାନେ ଡରି ଯାଇଛନ୍ତି । କର୍ମଚାରୀମାନେ ଏ ବାବଦରେ ପୋଲିସକୁ ଖବର ଦେବାପରେ ପିସିଆର୍‌ ଭ୍ୟାନ ଆସିଲା, ବୁଲି ଚାଲିଗଲା । କର୍ମଚାରୀଙ୍କ ଆଚମ୍ବିତ ଭରା ପ୍ରଶ୍ନର ଉତ୍ତରରେ BMC ଜେଡିସି ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି ଯେ ସେମାନଙ୍କ କ୍ଵାରେଣ୍ଟିନ ଅବଧି ଜୁନ ୨ରୁ ୧୫ ଯାଏ ଥିଲା । ଭୁଲବଶତଃ ଷ୍ଟାମ୍ପରେ ଜୁନ ୮ରୁ ୨୧ ଲେଖି ହେଇଯାଇଛି ।

ପାଲଟା ଜବାବରେ BMC ଜେଡିସି କହିଛନ୍ତି ଯେ କ୍ଵାରେଣ୍ଟିନ ଅବଧି ସରିବା ପରେ ସେମାନେ ଦୁହେଁ BMC ଅଫିସରେ ଜଣେଇଥିଲେ । ହେଲେ BMC ଦ୍ଵାରା ଏମିତି ଭୁଲ କେମିତି ହେଲା ? ଯଦି ହେଲା ତେବେ ତାହା କେତେଦୂର ଗ୍ରହଣୀୟ ? ଯଦି ସେ ପ୍ରବାସୀମାନେ ଜୁନ ୨ରେ ପଞ୍ଜିକରଣ କରିଥିଲେ ତେବେ ଷ୍ଟାମ୍ପରେ ୮ ତାରିଖ କାହିଁକି ଲେଖା ଯାଇଥିଲା ? ଏମିତି ଅନେକ ପ୍ରଶ୍ନ ଏବେ BMC ବିପକ୍ଷରେ ମୁଣ୍ଡ ଟେକିଛି ।

Leave a Reply

Your email address will not be published. Required fields are marked *