ଏ ବର୍ଷ ତିନି ଠାକୁର ଓହ୍ଲାଇବେନି ବଡ଼ଦାଣ୍ଡ, ହେବନି ଘୋଷଯାତ୍ରା : ସୁପ୍ରିମକୋର୍ଟର ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : କରୋନା ମହାମାରୀ କେବଳ ସ୍ୱାସ୍ଥ୍ୟ ସଙ୍କଟ ନୁହେଁ, ଅର୍ଥନୈତିକ ସହିତ ଏବେ ପାଲଟିଗଲାଣି ଭାବ ସଙ୍କଟ । ଆଜ୍ଞା ହଁ,  ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆଉ ହେବ ନାହିଁ । ଆଜି ସୁପ୍ରିମ କୋର୍ଟ ଏକ ୩ ଜଣିଆ ଖଣ୍ଡପୀଠରେ ଘୋଷଯାତ୍ରା ହେବ, ନହେବ ଅନିଶ୍ଚିନ୍ତତାକୁ ଦୂର କରି ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

ମାମଲାର ଶୁଣାଣିରେ ଘୋଷଯାତ୍ରା ସ୍ଥଗିତ ରହିବ ବୋଲି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବ୍ଡ଼େ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏ ବିଶ୍ଵ ମହାମାରୀ ସମୟରେ ଘୋଷଯାତ୍ରାକୁ ଅନୁମତି ଦିଆଯାଇପାରିବ ନାହିଁ । ବର୍ତ୍ତମାନ କ୍ଷେତ୍ରରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ଚଳିତ ବର୍ଷ ବନ୍ଦ ରହିବ ଘୋଷଯାତ୍ରା ।

ଜଷ୍ଟିସ ଏସଏ ବୋବ୍ଡ଼େ କହିବାନୁସାରେ ଯଦି ସୁପ୍ରିମ କୋର୍ଟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ଅନୁମତି ଦିଏ ତେବେ ନିଜେ ପ୍ରଭୁ ହିଁ କ୍ଷମା କରିବେନି । ପ୍ରଧାନ ବିଚାରପତିଙ୍କ ସହିତ ଜଷ୍ଟିସ ଏଏସ ବୋପନ୍ନା ଏବଂ ଜଷ୍ଟିସ ହୃଷିକେଶ ରାୟଙ୍କ ଏକ ୩ ଜଣିଆ ଖଣ୍ଡପୀଠ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି । କେବଳ ଶ୍ରୀକ୍ଷେତ୍ର ପୁରୀ କାହିଁକି, ଓଡ଼ିଶାର କୌଣସି ବି ସ୍ଥାନରେ ଗଡ଼ିବନି ରଥ ।

ଜୁନ ୨୩ ରେ ହେବାକୁ ଥିବା ଘୋଷଯାତ୍ରା ଆଉ ହେବନି ଶୁଣି ଜୋରସୋରରେ ରଥ ନିର୍ମାଣ କରୁଥିବା ନିର୍ମାଣକାରୀ ତଥା ଶ୍ରଦ୍ଧାଳୁମାନଙ୍କ ଭାବାବେଗକୁ ଲାଗିଛି ଗଭୀର ଆଘାତ । ହେଲେ ଅନ୍ୟପକ୍ଷରେ ପୁରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯଦି ରଥଯାତ୍ରା ହୁଏ ତେବେ ସ୍ଥିତି ବେକାବୁ ହେଇଯିବାର ଆଶଙ୍କା, ସାମାଜିକ ଦୂରତା ନିୟମ ଧୂଳିସାତ ହେବାର ଆଶଙ୍କା ।

ସୁପ୍ରିମକୋର୍ଟଙ୍କ ରାୟ ପରେ କିନ୍ତୁ ପୁରୀ ଗଜପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖୁବ୍ ଶୀଘ୍ର ପରିଚାଳନା କମିଟି ବୈଠକ ବସିବ, ଶ୍ରୀମନ୍ଦିର ପ୍ରଶାସକଙ୍କ ସହିତ ଆଲୋଚନା ହେବ, ତାପରେ ଯାଇ ସେ ନିଜର ପ୍ରତିକ୍ରିୟା ରଖିବେ । ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ରଥଯାତ୍ରା ବନ୍ଦ ହେବା ନିଷ୍ପତ୍ତିରେ ଘୋଷଯାତ୍ରା ବନ୍ଦ ହେବା କଳଙ୍କ ଓ ତା ପାଇଁ ଆଗାମୀ ଦିନରେ ଛତିଶା ନିଯୋଗ ବୈଠକ ବସିବ ।

Leave a Reply

Your email address will not be published. Required fields are marked *