ସଂସ୍କାର : ଯଦି ଜଣେ ବ୍ୟକ୍ତିର ପ୍ରାଣବାୟୁ ଉଡିଯାଇଛି, ସେ ପୁଣି ଥରେ ଜୀବନ୍ତ ହୋଇ ଉଠିବା ଏକ ପ୍ରକାରର ଚମତ୍କାର ଭଳି। ଆଉ ଏପରି ଖବର ବେଳେ ଆମେ ଖବରକାଗଜରେ ପଢ଼ିଥାଉ କିମ୍ବା ଟିଭିରେ ମଧ୍ୟ ଏପରି ଖବର ବାଜିବାର ଦେଖିଥାଉ। ବର୍ତ୍ତମାନ ଏପରି ଏକ ମାମଲା ଆମେରିକାର ମ୍ୟାରୀଲ୍ୟାଣ୍ଡରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧାମହିଳା ମରି ଯାଇଥିଲେ। କିନ୍ତୁ ପ୍ରାୟ ୪୫ ମିନିଟ ପରେ ସେ ପୁଣିଥରେ ଜୀବିତ ହୋଇଛନ୍ତି । ଅନ୍ୟପଟେ ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
ଅନ୍ତର୍ଜାତୀୟ ମିଡ଼ିଆର ରିପୋର୍ଟ ଅନୁସାରେ, ମରିବା ପରେ ପୁନଃ ଜୀବିତ ହୋଇଥିବା ମହିଳାଙ୍କ ନାମ ହେଉଛି କ୍ୟାଥି ପୈଟନ। ଏହି ମହିଳା ଜଣକ ଗୋଲ୍ଫ ଖେଳୁଥିବା ବେଳେ ତାଙ୍କ ୨୬ ବର୍ଷୀୟ ଝିଅର ଲେବର ପେନ୍ ଆରମ୍ଭ ହୋଇଥିବା ନେଇ ଫୋନ୍ ଆସିଥିଲା । ଏହା ପରେ ତୁରନ୍ତ କାର୍ ଯୋଗେ ସେ ଘରେ ପହଞ୍ଚିଥିଲେ ଓ ଝିଅକୁ ନେଇ ମେଡିକାଲ ଯାଇଥିଲେ । ଅନ୍ୟପଟେ ମେଡିକାଲରେ ପହଞ୍ଚିବା ପରେ କ୍ୟାଥିଙ୍କୁ ହଠାତ୍ ହାର୍ଟ ଆଟାକ୍ ଆସିଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୪୫ ମିନିଟ ପରେ ପୁଣି ସେ ଜୀବିତ ହୋଇଥିଲେ। ଏହା ପରେ ତାଙ୍କ ଝିଅ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ତେବେ ହାର୍ଟ ଆଟାକ୍ ଆସିବା ପରେ ଡାକ୍ତରମାନେ କ୍ୟାଥିଙ୍କର ଚେକଅପ୍ କରିଥିଲେ । ତାଙ୍କ ପଲ୍ସ ଚାଲୁନଥିଲା। ତେବେ ମୃତ୍ୟୁ ମୁଖରୁ ହଠାତ ଉଠି ନୂଆ ଜୀବନ ପାଇବା ପରେ କ୍ୟାଥି ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବଞ୍ଚିବାକୁ ଆଉ ଏକ ସୁଯୋଗ ଦେଇଥିବାରୁ ସେ ଭଗବାନଙ୍କୁ କାନ୍ଦି କାନ୍ଦି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ କ୍ୟାଥିଙ୍କ ଝିଅ କହିଛନ୍ତି ଯେ, ‘ମୋ ମାଆଙ୍କୁ ମୋ ଝିଅର ମୁହଁ ଦେଖିବାର ଥିଲା । ବୋଧହୁଏ ସେଥିପାଇଁ ତାଙ୍କୁ ନୂଆ ଜୀବନ ମିଳିଗଲା । ମୁଁ ଏଥିରେ ବହୁତ ଖୁସି ।’ ତେବେ ବୃଦ୍ଧା ମହିଳାଙ୍କର ବୟସ ୫୫ ବର୍ଷ ହେବ ବୋଲି ଜଣାପଡିଛି।