ସଂସ୍କାର: ଖୁବଶୀଘ୍ର ସମଗ୍ର ଭାରତବର୍ଷ ଦେଖିବ ଓଡ଼ିଆ ପୁଅର ବୀରତ୍ୱର ପରାକାଷ୍ଠା। ଓଡ଼ିଆ ପାଇକ ପୁଅ କିପରି ଇଂରେଜ ସରକାରଙ୍କ ବିପକ୍ଷରେ ଦୃଢ ଭାବରେ ସାମ୍ନା କରିଥିଲେ ଆଉ ସେ ସମୟରେ ଇଂରେଜମାନଙ୍କୁ କିପରି ଉଚିତ୍ ଶିକ୍ଷା ଦେଇଥିଲେ ତାହାର ରିଲ୍ ଦେଖିବେ ସମଗ୍ର ଭାରତବାସୀ। ହଁ, ଆମେ କହୁଛୁ ଆମର ପାଇକ ପୁଅ ବକ୍ସି ଜଗବନ୍ଧୁଙ୍କ କଥା । ଖୁବଶୀଘ୍ର ଛୋଟ ପରଦାକୁ ଆସିବ ବକ୍ସି ଜଗବନ୍ଧୁଙ୍କ ବିରତ୍ୱକୁ ନେଇ ପ୍ରସ୍ତୁତ ହିନ୍ଦୀ ମେଗାଧାରାବାହିକ ‘ବିଦ୍ରୋହୀ’। ଏହି ମେଗାଧାରାବାହିକ ଭାରତବାସୀଙ୍କର ମନକୁ ବେଶ୍ ସକରାତ୍ମକ କରିବ।
ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାରପ୍ଲସ୍ର ନୂଆ ହିନ୍ଦୀ ଧାରାବାହିକ ‘ବିଦ୍ରୋହୀ’ର ପ୍ରୋମୋକୁ ନେଇ ବର୍ତ୍ତମାନ ଓଡିଶାସମେତ ସବୁଠି ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ବ୍ରିଟିଶ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣୀକୁ ସ୍ଥାନୀତ କରାଯାଇଛି। ପ୍ରଦର୍ଶିତ ହୋଇଥିବା ପ୍ରୋମୋରେ ସେହି କାହାଣୀର କିଛି ଅଂଶ ଦେଖିବାକୁ ମିଳିଛି। ଆମେ ଜାଣିଛେ ଯେ, ଇଂରେଜଙ୍କ ଏହି ନିୟମକୁ ବକ୍ସି ଜଗବନ୍ଧୁ ବିରୋଧ କରିଥିଲେ। ଆଉ ଏହାରି ଉପରେ ଆଧାରିତ ହୋଇଛି ପୂରା କାହାଣୀ।
ତେବେ ଏଥିରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶରଦ ମାଲହୋତ୍ରା। ଭାରତର ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ କୁହାଯାଉଥିବା ପାଇକ ବିଦ୍ରୋହକୁ ଏଥିରେ ଚିତ୍ରଣ କରାଯାଇଛି।
ତେବେ ଏହି ଧାରାବାହିକର ଆକର୍ଷଣୀୟ ପ୍ରୋମୋକୁ ଦେଖିବା ପରେ ଓଡ଼ିଶାବାସୀ ତଥା ଯୁବପିଢ଼ିଙ୍କ ମନରେ ପୂରା ଧାରାବାହିକ ଦେଖିବାକୁ ବେଶ ଆଗ୍ରହ ଥିବା ଦେଖାଯାଇଛି। ସୋଶାଲ ମିଡିଆରେ ଏହାର ପ୍ରୋମୋକୁ ବହୁଳ ମାତ୍ରାରେ ସେୟାର କରାଯାଇଛି। ଏମିତିକି ଫେସବୁକ୍ ୟୁଜର୍ସ ଏହି ଭିଡିଓକୁ ଡାଉନଲୋଡ କରି ନିଜ ନିଜ ଆକାଉଣ୍ଟରେ ପୁଣି ଥରେ ଅପଲୋଡ୍ କରିଛନ୍ତି। ଖାଲି ସେତିକି ନୁହେଁ ଟ୍ୱିଟର, କୁ’, ଇନ୍ଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ସାଇଟ୍ରେ ମଧ୍ୟ ବିଦ୍ରୋହୀର ପ୍ରୋମୋକୁ ବେଶ ପ୍ରଶଂସା ମିଳିଛି । ଏମିତିକି ଲୋକଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ମଧ୍ୟ ପ୍ରୋମୋ ଭିଡିଓ ଦେଖିବାକୁ ମିଳିଛି ।
ଓଡ଼ିଶାବାସୀଙ୍କ ବୀର ଗାଥା ସହ ଜଡ଼ିତ ଥିବାରୁ ଏହି କାହାଣି ଓଡ଼ିଶାରେ ବେଶ୍ ଲୋକପ୍ରିୟତା ହାସଲ କରିବ ବୋଲି କୁହାଯାଉଛି । ତେବେ ଏହି ଧାରାବାହିକ କେବେ ମୁକ୍ତିଲାଭ କରିବ, ତା’ଉପରେ ସମସ୍ତଙ୍କ ନଜର।