ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି ଜଣେ ୭୬ ବର୍ଷର ବୟସ୍କ ବ୍ୟକ୍ତିଙ୍କର । ତାଙ୍କୁ ପରୀକ୍ଷା କରାଯିବା ପରେ କରୋନାଭାଇରସ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ଦିନ ସନ୍ଧ୍ୟାରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଛି । ଏହା ଭାରତରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି ।
ବ୍ୟକ୍ତି ଜଣଙ୍କ ଫେବୃଆରୀ ୨୯ରେ ସାଉଦି ଆରବରୁ ଫେରି ହାଇଦ୍ରାବାଦରେ ପହଞ୍ଚିଥିଲେ । ହାଇଦ୍ରାବାଦରୁ ପୁଣି କାଲାବୁରାଗି ଯାତ୍ରା କରିଥିଲେ । ମାର୍ଚ୍ଚ ୫ ରେ ତାଙ୍କୁ କାଲାବୁରାଗି ସ୍ଥିତ ଏକ ଘରୋଇ ଡାକ୍ତରଖାନାର ବାହାର-ରୋଗୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ପରଦିନ ତାଙ୍କୁ ଗୁଲବର୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା । ଅଧିକାରୀଙ୍କ କହିବାନୁଯାୟୀ ରୋଗୀ ପରିବାରବର୍ଗ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇ ଅନ୍ୟ ସହରକୁ ସ୍ଥାନାନ୍ତର କରିବାକୁ ଚାହୁଁଥିଲେ । ମାତ୍ର ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ ୨୦୦ କିଲୋମିଟର ଦୂରରେ ହାଇଦ୍ରାବାଦର କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିବାରୁ ତାଙ୍କ ପରିବାର ମାର୍ଚ୍ଚ ୯ରେ ପୁଣି କାଲାବୁରାଗିକୁ ଫେରାଇ ଆଣିଲେ । ଶେଷରେ ଗୁଲବର୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ମାର୍ଚ୍ଚ ୧୦ ତାରିଖରେ କାଲାବୁରାଗିରେ ତାଙ୍କର ନମୁନା ସଂଗ୍ରହ କରାଗଲା । ପରୀକ୍ଷା ପାଇଁ କୋରିଅର ମାଧ୍ୟମରେ ବେଙ୍ଗାଲୁରୁର ଲ୍ୟାବକୁ ପଠାଗଲା | ଏହି ନମୁନା ଗୁରୁବାର ସକାଳେ ବେଙ୍ଗାଲୁରୁରେ ପହଞ୍ଚିଥିଲା ଏବଂ ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଥିଲା ଯେ ସେ କରୋନାଭାଇରସ ସଂକ୍ରମଣ କରିସାରିଥିଲା । ଏହାସହିତ ତାଙ୍କର ଆଜ୍ମା ଓ ରକ୍ତଚାପ ଥିବା କଥା ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରକାଶ କରିଥିଲେ ।
କର୍ଣ୍ଣାଟକ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଅନ୍ୟ ପାଞ୍ଚଟି ମାମଲା ନିଶ୍ଚିତ କରିଛନ୍ତି । ଆମେରିକାର ଅଷ୍ଟିନରୁ ନ୍ୟୁୟର୍କ ଏବଂ ଟେକ୍ସାସ ଦେଇ ଫେରି ଆସିଥିବା ଜଣେ ବେଙ୍ଗାଲୁରୁ ଡେଲ କର୍ମଚାରୀ ହେଉଛନ୍ତି ରାଜ୍ୟରେ ପ୍ରଥମ ବ୍ୟକ୍ତି ।