ବାତ୍ୟା ‘ଗୁଲାବ୍’କୁ ସାମ୍ନା କରିବା ପାଇଁ ନବୀନ ସରକାର ପ୍ରସ୍ତୁତ… ଜାଣନ୍ତୁ କ’ଣ କ’ଣ ନିଆଯାଇଛି ପଦକ୍ଷେପ…

ସଂସ୍କାର : ଆସନ୍ତାକାଲି ଓଡ଼ିଶା ଆସୁଛି ଏକ ଭୟଙ୍କର ବାତ୍ୟା। ଯାହାର ନାମ ରଖାଯାଇଛି ‘ଗୁଲାବ୍’। ଗୁଲାବ୍ ବର୍ତ୍ତମାନ ଓଡ଼ିଶା ମୁହାଁ ହେଉଥିବା ବେଳେ ଏହାର ଗତିବିଧୀ ଉପରେ ନଜର ରଖିଛି ପାଣିପାଗ ବିଭାଗ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ଆମ ରାଜ୍ୟ ସରକାର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିସାରିଲେଣି। ରାଜ୍ୟ ଗଣମାଧ୍ୟମର ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରେ ଏହା ଏକ ବାତ୍ୟାର ରୂପ ନେଇପାରେ । ଆସନ୍ତାକାଲି ସନ୍ଧ୍ୟାରେ ଏହି ବାତ୍ୟା ଆମ ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୯୫ କିମି ପର୍ଯ୍ୟନ୍ତ ରହିବ। କାଳକ୍ରମେ ଏହି ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହି ବାତ୍ୟାର ଗତିବିଧିକୁ ନଜରରେ ରଖି ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାକୁ ଆଲର୍ଟ କରାଯାଇଛି। କାରଣ ଏହି ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ‘ଗୁଲାବ୍’ ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୫୫୪ ଜାରି କରାଯାଇଛି । ଓଡ୍ରାଫର ୪୨ ଓ ଏନଡିଆରଏଫର ୨୪ଟି ଟିମକୁ ମୁତୟନ କରାଯିବ । ପାଟ୍ରୋଲିଂ ଜାହାଜ ଓ ଡୋର୍ନିୟର ବିମାନ ସାହାଯ୍ୟରେ ସମୁଦୂ କୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯିବ । ଗଭୀର ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି । ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଜିଲ୍ଲା ବେଶି ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି । ତେବେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *