ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ୍ , ୭ ଜିଲ୍ଲାକୁ ରେଡ୍ ଆଲର୍ଟ

ସଂସ୍କାର : ଆଜି ରାତିସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ୍। ଗୁଲାବ୍ ବର୍ତ୍ତମାନ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହେଉଛି। ଏହି ସାମୁଦ୍ରିକ ବାତ୍ୟା ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଉପକୂଳ ଦିଗରେ ଧୀରେ ଧୀରେ ଅଗ୍ରସର ହେଉଛି । ବର୍ତ୍ତମାନ ଗୋପାଳପୁର ଉପକୂଳଠାରୁ ୨୦୦ କିଲୋମିଟର ଦୂରରେ ରହିଛି। ଅନ୍ୟପଟେ ସମୁଦ୍ର ଭିତରେ ଥାଇ ବି ଏହି ବାତ୍ୟା ବର୍ତ୍ତମାନ ନିଜର ପ୍ରଭାବ ଦେଖାଇଲାଣି। ସେହିପରି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇ ସାରିଛି।

ବାତ୍ୟା ଗୁଲାବକୁ ନଜରରେ ରଖି ଦକ୍ଷିଣ ଓଡ଼ିଶାର ୭ ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡିକରେ ବାତ୍ୟା ଗୁଲାବ୍ ପ୍ରଭାବ ପକାଇପାରେ। ତେବେ ରେଡ୍ ଆଲର୍ଟ ପାଇଥିବା ୭ ଟି ଜିଲ୍ଲା ହେଉଛନ୍ତି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ। ଏହି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି। ସେହିପରି ଉପକୂଳର କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ବି ବର୍ଷା ପବନ ହେଲାଣି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ଗୁଲାବ୍ କାରଣରୁ ବର୍ଷା ଆରମ୍ଭ ହେଲାଣି।

ଅନ୍ୟପଟେ ପ୍ରବଳ ବର୍ଷା ପବନରେ ଭୂସ୍ଖଳନ ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଆଶଙ୍କା ଥିବା ୭ଟି ଜିଲ୍ଲାର ତଳି ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୫-୭୫ କିଲୋମିଟର ଓ ସ୍ଥଳ ବିଶେଷରେ ବଢ଼ି ୮୫ କିଲୋମିଟର ଛୁଇଁପାରେ । ଲାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫-୮୫ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୦୦ କିଲୋମିଟର ଛୁଇଁପାରେ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଜି ସନ୍ଧ୍ୟାରୁ ମଧ୍ୟରାତିରେ ଭିତରେ ପବନର ବେଗ ୭୫-୮୫ କିଲୋମିଟର ରହିବ ।

Leave a Reply

Your email address will not be published. Required fields are marked *