ଡାଇବେଟିସ ଠାରୁ କିପରି ରହିବେ ଦୂରରେ , ଜାଣନ୍ତୁ ଏହାର ଉପାୟ…

ସଂସ୍କାର: ଆଜିର ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବା ସଠିକ ଭାବରେ ନ ହେବା କାରଣରୁ ଆମକୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ଶରୀର ପାଇଁ ଉପଯୁକ୍ତ ବ୍ୟାୟାମ ନ କରିବା ଫଳରେ ମଧ୍ୟ ଆମକୁ ବିଭିନ୍ନ ରୋଗ ଆକ୍ରମଣ କରିଥାନ୍ତି। ଯେମିତିକି ଉଚ୍ଚ ରକ୍ତଚାପ ଓ ଡାଇବେଟିସ ଭଳି ବିଭିନ୍ନ ରୋଗ।

ତେବେ ଡାଇବେଟିସ୍ ରୋଗ ହେଉଛି ବର୍ତମାନର ପ୍ରମୁଖ ରୋଗ। ବର୍ତ୍ତମାନ ଏହି ରୋଗରେ ଅଧିକାଂଶ ଲୋକ ପୀଡିତ ହେଉଛନ୍ତି । ବର୍ତ୍ତମାନ ଏହି ରୋଗକୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି। ହେଲେ ଏହି ଡାଇବେଟିସ୍ ରୋଗ ହେଉଛି କାହିଁକି ? କଣ ଆପଣ ଜାଣିଛନ୍ତି କି ଏହି ରୋଗ ଠାରୁ କିପରି ଦୁରେଇ ରହିହେବ ? ତେବେ ବିଶେଷଜ୍ଞ ଡାକ୍ତରଙ୍କ କହିବା ମୁତାବକ, ଡାଇବେଟିସ ରୋଗ ଠାରୁ ଜଣେ ବ୍ୟକ୍ତି ଚାହିଁଲେ ଦୂରେଇ ରହିପାରିବେ। ମାତ୍ର ଏଥିପାଇଁ ଦରକାର ସ୍ୱାସ୍ଥ୍ୟ ସଚେତନତା ଓ ନିୟନ୍ତ୍ରିତ ଜୀବନଶୈଳୀ । ତେଣୁ ଆଜି ଆମେ ଏହି ରୋଗଠାରୁ କିପରି ଦୂରେଇ ରହିବେ ତାହାର ଉପାୟ ଏଠାରେ ଉଲ୍ଲେଖ କରିଛୁ। ତେବେ ଆସନ୍ତୁ ଜାଣିବା କେମିତି ରୋକିବେ ଡାଇବେଟିସ୍ ।

ବିଶେଷଜ୍ଞ ଡାକ୍ତରଙ୍କ କହିବା ମୁତାବକ, ଜଣେ ବ୍ୟକ୍ତିଙ୍କର ରକ୍ତରେ ସୁଗାର ପରିମାଣ ଖାଲି ପେଟରେ ୧୨୬ ମିଲିଗ୍ରାମ ପର୍ ଡେସିଲିଟର ରହିଲେ ତାକୁ ଡାଇବେଟିସ୍ ବୋଲି କୁହାଯାଏ । ସେହିପରି ଖାଇବାର ୨ ଘଂଟା ପରେ ରକ୍ତରେ ସୁଗାରର ପରିମାଣ ୨୦୦ ମିଲିଗ୍ରାମ ପର୍ ଡେସିଲିଟରରୁ ଅଧିକ ରହିଲେ ତାକୁ ଆମେ ଡାଇବେଟିସ୍ ବୋଲି କହିଥାଉ । ତେବେ ଯେଉଁ ବ୍ୟକ୍ତିମାନଙ୍କର ରକ୍ତରେ ଶର୍କରା ପରିମାଣ ୧୪୦ ରୁ ୧୯୯ ମିଲିଗ୍ରାମ ପର୍ ଡେସିଲିଟର ଭିତରେ ରହିଥାଏ ତାକୁ ଆମେ ପ୍ରି-ଡାଇବେଟିସ୍ ବୋଲି କହିଥାଉ । ଅର୍ଥାତ ସେହି ବ୍ୟକ୍ତିମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ରୋଗ ଆଟାକ୍ କରିପାରେ । ହେଲେ ଏହି ଅବସ୍ଥାରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ନିଜ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣିଲେ, ଜଣେ ବ୍ୟକ୍ତିଙ୍କୁ କେବେ ବି ଡାଇବେଟିସ୍ ହେବ ନାହିଁ ବୋଲି ବିଶେଷଜ୍ଞ ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି।

ଡାଇବେଟିସ୍ ରୋଗ କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ ?

ଡାକ୍ତରଙ୍କ ମତରେ ସାଧାରଣତଃ ୪୫ ବର୍ଷରୁ ଅଧିକ ବୟସରର ବ୍ୟକ୍ତିଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ରହିଛି । ସେହିପରି ଯେଉଁମାନଙ୍କ ପାଖରେ ମେଦ ବହୁଳତା ରହିଛି, ଯେଉଁମାନେ ନିୟମିତ ବ୍ୟାୟାମ କରୁନାହାଁନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ସବୁଠୁ ଅଧିକ ରହିଛି। ଉଚ୍ଚ ରକ୍ତଚାପ ଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଡାଇବେଟିସ୍ ହୋଇପାରେ।

କିପରି ଡାଇବେଟିସଠାରୁ ରହିବେ ଦୂରରେ?

ନିୟନ୍ତ୍ରିତ ଜୀବନଶୈଳୀ ଓ ସଚେତନତା ହିଁ ଆପଣଙ୍କୁ ଡାଇବେଟିସଠାରୁ ଦୂରରେ ରଖିପାରିବ । ଏଥିପାଇଁ ଆପଣଙ୍କ ଖାଦ୍ୟପେୟରେ ପରିବର୍ତନ କରନ୍ତୁ । ତେଲ ମସଲା ଖାଦ୍ୟ ଓ ଚର୍ବି ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଫାଷ୍ଟଫୁଡ୍, ମିଠା, କୋଲଡ୍ ଡ୍ରିଙ୍କସ୍, ଛେଳି ମାଂସ, ଘିଅ, ବଟର, ଚିନି ଆଦିକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ଆଉ ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ ।ଡାଇବେଟିସଠାରୁ ଦୂରରେ ରହିବାକୁ ପ୍ରତିଦିନ ୧ ଘଣ୍ଟା ବ୍ୟାୟାମ କରନ୍ତୁ । ତା ସହିତ ଯଦି ଆପଣଙ୍କ ଓଜନ ଅଧିକ ଅଛି, ତେବେ ଏହାକୁ ଯଥାଶୀଘ୍ର କମ କରିବାକୁ ଚେଷ୍ଟା କରନ୍ତୁ । ଧୂମପାନ ଓ ମଦ୍ୟପାନକୁ ସମ୍ପୂର୍ଣ୍ଣ ବନ୍ଦ କଲେ ହିଁ ଆପଣ ଡାଇବେଟିସକୁ ରୋକିପାରିବେ । ଏହି ସବୁ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଜଣେ ବ୍ୟକ୍ତି ଡାଇବେଟିସ ରୋଗଠାରୁ ନିଜରକୁ ସମ୍ପୂର୍ଣ୍ଣ ଦୂରରେ ରଖିପାରିବେ ।

Leave a Reply

Your email address will not be published. Required fields are marked *