ସଂସ୍କାର: ସମ୍ବଲପୁରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଏଠାରେ କେତେକ ଯୁବତୀ ରାସ୍ତାରେ ଯାଉଥିବା ଲୋକଙ୍କୁ ଜୋରଜବରଦସ୍ତ ଟାଣି ଆଣି ସେମାନଙ୍କୁ ଟଙ୍କା ମାଗୁଥିଲେ। ଆଉ ସେମାନଙ୍କର ଟଙ୍କା ମାଗିବାର କୌଶଳ ବିଷୟରେ ଜାଣିଲେ ଆପଣ ବି ତାଯୁବ ହୋଇଯିବେ। କେତେକ ଯୁବତୀ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଟାଣି ଆଣି ସେମାନଙ୍କ ଦେହରେ ନିଜ ଦେହକୁ ଘଷି ଆଉ ଲୋକଙ୍କର ହାତକୁ ସେମାନଙ୍କର ଦେହରେ ଲଗାଇ କହୁଛନ୍ତି ଛୁଇଁଲୁ ତ, ଏଥର ଦିଅ ଟଙ୍କା। ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଥାନାକୁ ଆଣିଛି।
ସୂଚନାଯୋଗ୍ୟ ଯେ, ବହୁତ ସଂଖ୍ୟକ ଯୁବତୀ ରାସ୍ତା ମଝିରେ ଲୋକଙ୍କୁ ରଖି ‘ଛୁଇଁଲୁ ତ, ଦିଅ ଟଙ୍କା । ଆମେ ଖାଲି ଆମ ପାଇଁ ଟଙ୍କା ମାଗୁନୁ, ଆମକୁ ଡୋନେସନ୍ ଆକାରରେ ଦିଅ । ୨୧,୫୧, ଯାହା ଦଉଛ ଦିଅ କିନ୍ତୁ ଛୁଇଁଛ ମାନେ ଟଙ୍କା ଦେବ’ । ରବିବାର ସକାଳୁ ଧନୁପାଲି ଥାନା ଅନ୍ତର୍ଗତ ବୃକ୍ସହିଲ୍ ପାହାଡ଼ ଓ ଡିୟର ପାର୍କ ରୋଡ୍ରେ ଛିଡ଼ା ହୋଇଥିବା କିଛି ଯୁବତୀ ଲୋକଙ୍କୁ ଅଟକାଇବା ସହ ସେମାନଙ୍କୁ ଟାଣି ନିଜ ଦେହରେ ହାତ ମାରିବା ପରେ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଥିଲା।
ସୂଚନା ପାଇ ଧନୁପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୬ଜଣ ଯୁବତୀଙ୍କୁ ଆଣି ଥାନାରେ ଅଟକ ରଖିବା ପରେ ତମାମ୍ ଘଟଣା ସାମ୍ନାକୁ ଆସିଥିଲା । ଏହି ୬ ଯୁବତୀଙ୍କୁ ପୁଲିସ୍ ପଚରାଉଚରା ପରେ ସେମାନେ ବି ରାଜସ୍ଥାନୀ ଗ୍ୟାଙ୍ଗ୍ର ହୋଇଥିବା ଜଣାପଡ଼ିଥିଲା । ସମସ୍ତ ୬ ଯୁବତୀଙ୍କ ବୟସ ୨୦-୨୨ ବର୍ଷ ଭିତରେ ହୋଇଥିବା ବେଳେ ସେମାନେ ସମ୍ବଲପୁରକୁ ଆସିବାର ସଠିକ୍ କାରଣ ଦେଇପାରିନଥିଲେ । ପରେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରାଯିବା ସହ ଅଣ୍ଡରଟେକିଂ ଲେଖାଇ ପୁଲିସ୍ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ୍ ଏହି ଯୁବତୀଙ୍କୁ ନେଇ ସେମାନେ ରହୁଥିବା ସ୍ଥାନକୁ ଯାଇଥିଲା । ଏମାନେ ମୋଟ ୩୬ ଜଣିଆ ଗ୍ୟାଙ୍ଗ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଜଣେ ଭିନ୍ନକ୍ଷମ ଯୁବକ ରହିଛନ୍ତି । ଅନ୍ୟମାନେ ମହିଳା ଓ ଯୁବତୀ ରହିଛନ୍ତି । ଗତକାଲି ବୁର୍ଲା ପୁଲିସ୍ ହାତରେ ଧରାପଡ଼ିଥିବା ୬ ଯୁବତୀଙ୍କ ମଧ୍ୟରୁ ୩ ଜଣ ଧନୁପାଲି ପୁଲିସ୍ ଦ୍ୱାରା ଧରାପଡ଼ିଥିବା ଯୁବତୀଙ୍କ ମଧ୍ୟରେ ରହିଥିବା ବି ଜଣାପଡ଼ିଥିଲା ।
ଯାଞ୍ଚପରେ ସେମାନଙ୍କୁ ଭଡ଼ାରେ ରଖିଥିବା ଭୋଜପୁରୀ ଭବନ ମାଲିକ କୌଣସି ପ୍ରମାଣପତ୍ର ଯାଞ୍ଚ ନକରି ସେମାନଙ୍କୁ ରଖିଥିବା ସୂଚନା ମିଳିଥିଲା । ତେବେ ଏହି ଗ୍ୟାଙ୍ଗ୍ ବିଭିନ୍ନ ଆଳରେ ଲୋକଙ୍କଠାରୁ ଟଙ୍କା ଦାବି କରୁଥିବାରୁ ତୁରନ୍ତ ଏରିଆ ଛାଡ଼ି ଚାଲିଯିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସମ୍ବଲପୁରରେ କାୟା ମେଲାଉଛନ୍ତି ରାଜସ୍ଥାନୀ ଯୁବତୀ ଗ୍ୟାଙ୍ଗ୍ । ବିଭିନ୍ନ ଉପାୟରେ ଲୋକଙ୍କଠାରୁ ଟଙ୍କା ଲୁଟ୍ କରୁଛନ୍ତି ଏହି ଗ୍ୟାଙ୍ଗ୍ । ଜଣେ ଜଣେ ଯୁବତୀ ଦୈନିକ ଲୋକଙ୍କଠାରୁ କେତେ ଟଙ୍କା ଆଦାୟ କରୁଛନ୍ତି ତାହା ଏକ କାଗଜରେ ବି ଉଲ୍ଳେଖ କରୁଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବତୀ ଦିନକ ଭିତରେ ଅନ୍ୟୁନ ୫ରୁ ୧୦ ହଜାର ଟଙ୍କା ଲୋକଙ୍କଠାରୁ ବିଭିନ୍ନ ଆଳରେ ନେଇ ଯାଉଥିବା ଜଣାପଡ଼ିଛି । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ସନ୍ଦେହଜନକ ଅବସ୍ଥାରେ ୭ ଜଣ ରାଜସ୍ତାନୀ ନାବାଳିକାଙ୍କୁ ଖଣ୍ଡଗିରି ପୁଲିସ୍ ଅଟକ ରଖିଥିଲା । ରାଜସ୍ଥାନର ଏହି ଗ୍ୟାଙ୍ଗ୍ ସପ୍ତାହକ ତଳେ ସମ୍ବଲପୁରରେ ପହଞ୍ଚିବା ପରେ ମୟୁର ପକ୍ଷୀ ବିକ୍ରି କରିବା ଉଦ୍ଦେଶ୍ୟ ନେଇ ଆସିଥିବା କହି ଭୋଜପୁରୀ ଭବନରେ ରହୁଥିଲେ ।
ସେଠାରୁ ବାହାରି ରାଜପଥରେ ଓ ନିଛାଟିଆ ସ୍ଥାନରେ ରାସ୍ତାକଡ଼ରେ ଛିଡ଼ା ହୋଇ ଲୋକଙ୍କଠାରୁ ଟଙ୍କା ଦାବି କରୁଥିବା ଘଟଣା ସାମ୍ନାକୁ ଆସିଛି । କାହାକୁ ଦାନ ଆକାରରେ ତ ଆଉ କାହାକୁ ବ୍ଲାକ୍ମେଲ୍ କରି ଟଙ୍କା ମାଗିଥିଲେ । ଏହି ଯୁବତୀମାନେ ଦେହ ବ୍ୟବସାୟରେ ଲିପ୍ତ ରହୁଥିବା ବେଳେ ନୀରିହ ଲୋକଙ୍କୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ଲୁଟ୍ କରୁଥିବା ମଧ୍ୟ ଜଣାପଡ଼ିଛି । କେତେବେଳେ ଯାଦୁ ଦେଖାଇବା ପାଇଁ ସେମାନେ ଆସିଥିବା ନେଇ ଉତ୍ତର ଦେଇଥିବା ବେଳେ କେତେବେଳେ ଖାଇବାକୁ ଟଙ୍କା ନଥିବାରୁ ଟଙ୍କା ମାଗିଯାଚି ଚଳିବା ପାଇଁ ଏଠାକୁ ଆସିଥିବା ଉତ୍ତର ଦେଇଥିଲେ ।