ବାହାଘରର ୧୫ ଦିନ ପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ..ଜାଣନ୍ତୁ କାହିଁକି

ସଂସ୍କାର: ପ୍ରେମରୁ ବିବାହ। ଆଉ ବିବାହର ୧୫ ଦିନ ପରେ ରାଜସ୍ଥାନକୁ ନେଇ ସାତ ଜନମର ସାକ୍ଷୀ ହୋଇ ବିବାହ କରିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକିଦେଇଛି। ଆଉ ଶେଷରେ ପୁଲିସକୁ ମାମଲା ଯିବା ପରେ ରାଜସ୍ଥାନରୁ ନବ ବିବାହିତ ମହିଳାଙ୍କୁ ପୁଲିସ ଉଦ୍ଧାର କରିବା ସହ ପ୍ରତାରଣା କରିଥିବା ସ୍ୱାମୀକୁ ଜେଲ୍‌ ପଠାଇଛି।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଂଚଳରେ । ମିଳିଥିବା ସୂଚନା ଅନୁଯାୟୀ, ବେଲପଡ଼ା ଥାନା ସୁଲେକେଲା ଗାଁର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ବହୁ ବର୍ଷ ଧରି ଭଲପାଉଥିଲେ। ତେବେ ଉଭୟ ପରିବାରର ସହମତି ପରେ ସେମାନଙ୍କର ବିବାହ ହୋଇଥିଲା। ରୀତିନୀତି ଅନୁସାରେ ନିଜ ପ୍ରେମିକାକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ। ହେଲେ ବିବାହର ୧୫ ଦିନ ପରେ ହନିମୁନ୍ ପାଇଁ ବୁଲିଯିବାକୁ ଡାକି ନେଇ ନିଜ ସ୍ତ୍ରୀକୁ ରାଜସ୍ଥାନରେ ଜଣଙ୍କ ପାଖରେ ବିକ୍ରି କରି ଚାଲିଆସିଥିଲା ରାଜେଶ। ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ। ଅଗଷ୍ଟ ୫ ତାରିଖ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ହେବା ନେଇ ଏତଲା ଦେଇଥିଲେ।

ନିଖୋଜ ମାମଲାର ତଦନ୍ତ କରୁ କରୁ ପୁଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା। ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା କହିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ମହିଳାଙ୍କୁ ଉଦ୍ଧାର କରିଥିଲା। ହେଲେ ଗାଁ ଲୋକେ ମହିଳାଙ୍କୁ ଛାଡ଼ିବାକୁ ନାରାଜ ଥିଲେ। ପରେ ସେଠିକାର ପୁଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା। ଏ ନେଇ ପୁଲିସ ରାଜେଶ ବିରୋଧରେ ଦଫା-୪୨୦, ୩୭୦, ୩୭୨ ଲଗାଇ କୋର୍ଟଚାଲାଣ କରିଥିଲା। ଘଟଣାଟି ବର୍ତ୍ତମାନ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ରାଜେଶ କାହିଁକି ନିଜ ସ୍ତ୍ରୀକୁ ବିକ୍ରି କରିଦେଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି। ଏହାରି କାରଣ କଣ ପୋଲିସ୍ ପଚାରୁଛି।

Leave a Reply

Your email address will not be published. Required fields are marked *