CRPF କ୍ୟାମ୍ପରେ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇ ୪ ସୈନିକ ନିହତ, ୩ ଆହତ, ଜାଣନ୍ତୁ ପୁରା ଘଟଣା କଣ ?

ସଂସ୍କାର : ଛତିଶଗଡର ସୁକମା ଜିଲ୍ଲାରେ ଜଣେ ସିଆରପିଏଫ୍ ଯବାନ ନିଜ ସାଥୀ ଯବାନମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଗୁଳିକାଣ୍ଡରେ ସେ ୪ଜଣଙ୍କୁ ହତ୍ୟା କରିଛନ୍ତି। ଖବର ଅନୁଯାୟୀ, ମାରାଇଗୁଡା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଉପରେ ହୋଇଥିବା ଏହି ଗୁଳିମାଡ଼ରେ ୩ ଜଣ ଯବାନ ଆହତ ହୋଇଥିବା ବେଳେ, ୪ ଜଣ ଯବାନ ପ୍ରାଣତ୍ୟାଗ କରିଛନ୍ତି।

ତେବେ ଏହି ଘଟଣାଟି ୫୦ ବାଟାଲିୟନ କ୍ୟାମ୍ପର। ଅନ୍ୟପଟେ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚାଲମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁଳି ଚଳାଇଥିବା ଯବାନ ରାତିରେ ଡ୍ୟୁଟିରେ ଥିଲେ। ସେ କାହିଁକି ଏପରି କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପ୍ରାଥମିକ ସୂଚନା ଅନୁଯାୟୀ ସୈନିକମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ତେଣୁ ଏଭଳି ଏକ ଅଘଟଣା ଘଟିଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଯବାନ ରିତେଶ ରଂଜନଙ୍କୁ ପୋଲିସ୍ ଗିରଫ କରିସାରିଛି।

ସିଆରପିଏଫ୍ ଅଧିକାରୀମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଜଣେ ସୈନିକ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇବାର ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ତେବେ ସୁକମା ପୋଲିସ ଅଧୀକ୍ଷକ ସୁନୀଲ ଶର୍ମା ଏହି ଘଟଣାକୁ ନିଶ୍ଚିତ କରିବାବେଳେ କହିଛନ୍ତି ଯେ ଆହତ ଯବାନମାନଙ୍କୁ ବର୍ତ୍ତମାନ ତେଲେଙ୍ଗାନାର ଭଦ୍ରାଚାଲମକୁ ଚିକିତ୍ସା ପାଇଁ ପଠାଯାଇଛି। ଆଉ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅତିଶୀଘ୍ର ଏହି ଅଘଟଣର କାରଣ ଜଣାପଡିଯିବ। ଆମେ ଦୋଷୀକୁ ପଚରାଉଚରା କରୁଛୁ।

Leave a Reply

Your email address will not be published. Required fields are marked *