ସଂସ୍କାର : ଯଦି ଆପଣ ସୋସିଆଲ ମିଡିଆରେ ହେଉ ଅବା ୟୁଟ୍ୟୁବ୍ ରେ ସକ୍ରିୟ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ବାଇକର ଅନେକ ଭିଡିଓ ଦେଖିଥିବେ। ଏଥିମଧ୍ୟରୁ କିଛି ଭିଡ଼ିଓ ଦେଖି ଆପଣ ନିଶ୍ଚୟ ହସିଥିବେ, ଆଉ କିଛି ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଥିବେ। ଯାହାକୁକି ଆମେ ବାଇକ୍ ଷ୍ଟଣ୍ଟ୍ ବୋଲି କହିଥାଉ। ବେଳେବେଳେ ଅଜବ ଅଜବ ଘଟଣାର ଭିଡ଼ିଓ ମଧ୍ୟ ଆମେ ଦେଖିଥାଉ। ବର୍ତ୍ତମାନ ଏହି କ୍ରମରେ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଯାହା ମଜାଳିଆ ହେବା ସହିତ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ। ତେବେ ଭାଇରାଲ୍ ହେଉଥିବା ଭିଡିଓଟି ତେଲେଙ୍ଗାନାର ଏକ ଦୋକାନର ବୋଲି ଜଣାପଡିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଦୋକାନ ଭିତରେ ଚାରି ଜଣ ଲୋକ କଥା ହେଉଛନ୍ତି। କିଛି ସମୟ ପରେ ଏକ ଦ୍ରୁତ ଗତିରେ ଆସୁଥିବା ମୋଟରସାଇକେଲ (ବାଇକ୍) ଦୋକାନରେ ପଶିଗଲା। ଆଉ ଦୋକାନରେ କଥା ହେଉଥିବା ଲୋକଙ୍କ ଉପରକୁ ଚଢ଼ିଗଲା। ତେବେ ସୌଭାଗ୍ୟବଶତଃ କଥା ହେଉଥିବା ଚାରିଜଣ ବ୍ୟକ୍ତି ଠିକ୍ ସମୟରେ ଗାଡିର ଆଗରୁ ଦୂରେଇ ଯିବାରେ ସଫଳ ହୋଇଥିଲେ । ଯାହାଫଳରେ ସେମାନଙ୍କର ଜୀବନ ବଂଚିଯାଇଥିଲା। ତେବେ ଧକ୍କା ହେବା ପରେ ବାଇକ୍ ଆରୋହୀ ଦୋକାନର କାଉଣ୍ଟର ଆଡକୁ ଖସିପଡିଥିଲେ। କିନ୍ତୁ କିଛି ସେକେଣ୍ଡ ପରେ ସେ ଉଠି ବାହାରକୁ ଯାଇଥିଲେ।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି। ଆପଣ ସମସ୍ତେ ଏହି ଭିଡିଓକୁ @ ସୂର୍ଯ୍ୟ ରେଡ୍ଡିଙ୍କ ଟୁଇଟର ଆକାଉଣ୍ଟକୁ ଯାଇ ଦେଖିପାରିବେ। ତେବେ ଭିଡିଓ ସେୟାର କରି ସୂର୍ଯ୍ୟ ରେଡ୍ଡୀ କ୍ୟାପସନରେ ଲେଖିଛନ୍ତି ଯେ, ‘ବାଇକ୍ ଦ୍ରୁତ ଗତିରେ ପୋଷାକ ଦୋକାନରେ ପ୍ରବେଶ କଲା, ଦୋକାନ ଭିତରେ ଥିବା ଲୋକମାନେ ଭୟଭୀତ ହେଲେ, ଭିଡିଓଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। # ତେଲାଙ୍ଗାନା।
ଗତ ସୋମବାର ରାତି ପ୍ରାୟ ୮.୩୦ ସମୟରେ ତେଲେଙ୍ଗାନାର କାମାମ ଜିଲ୍ଲାର ରବିଚେଟୁ ବଜାରରୁ ଏହି ଘଟଣା ଘଟିଛି। ସିସିଟିଭି କ୍ୟାମେରାର ଫୁଟେଜକୁ ଆଧାର କରି ଏହା ଅନୁମାନ କରାଯାଇପାରେ ଯେ ମୋଟରସାଇକେଲର ବ୍ରେକ୍ ଫେଲ୍ ହେତୁ ଏହି ଦୁର୍ଘଟଣା ଘଟିଛି। ବାଇକରୁ ଖସିପଡିଥିବା ବ୍ୟକ୍ତିଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ଏପରି କଲେ। ତେବେ ବାଇକ୍ ଚାଳକ କହିଛନ୍ତି ଯେ, ମୋତେ କ୍ଷମା କରନ୍ତୁ। ମୋ ବାଇକର ବ୍ରେକ ଫେଲ୍ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ମିଳିଥିବା ସୂଚନା ମୁତାବକ ପୋଲିସ ଗାଡିଟିକୁ ଜବତ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।