ସଂସ୍କାର : ଓଡିଶା ଆଡ଼କୁ ମୁହାଉଛି ଆଉ ଏକ ପ୍ରଳୟକାରୀ ବନ୍ୟା। ଆସନ୍ତାକାଲି ଅର୍ଥାତ ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳରେ ବାତ୍ୟା ମାଡ଼ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ବାତ୍ୟାର ପ୍ରଭାବରେ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଆଜି ସନ୍ଧ୍ୟା ସୁଦ୍ଧା ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେହିପରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି SRC। ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଥିସହ ପ୍ରଭାବିତ ହେବାକୁଥିବା ଜିଲ୍ଲାର ଜିଲ୍ଲାପାଳମାନେମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଅମଳ ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ଉପକୂଳ ଜିଲ୍ଲା ସହ ମୟୂରଭଂଜ ଓ ନୟାଗଡ଼କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ। ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତ ରୂପ ନେବ ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ। କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ, ଆଜି ଚିତ୍ର ସ୍ପଷ୍ଟ କରାଯିବ ବୋଲି ଆଇଏମଜି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସନ୍ଧ୍ୟାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୪ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୪ ତାରିଖରେ ସର୍ବାଧିକ ରହିବ। ଏହା ସହ ବାତ୍ୟା ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି।
ସେହିପରି ୭ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ହେଉଛି- କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟ। ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମାଲକାନଗିରିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୫ ତାରିଖ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଏବଂ ୭ଟି ଜିଲ୍ଲାକୁ ୟେଲୋ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।