ସଂସ୍କାର : ଘରୋଇ କଳହ ଯେ, ଭବିଷ୍ୟତରେ କେତେ ଭୟଙ୍କର କରାଳ ରୂପ ନିଏ ତାହା ବର୍ତ୍ତମାନ ଦେଖିବାକୁ ମିଳିଛି। ଘରୋଇ କଳହ ଯୋଗୁଁ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଯାହାକୁ ପଢିଲେ ଆପଣ ତାଜୁବ ହୋଇଯିବେ। ପାରିବାରିକ କଳହରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କର ୫ ଜଣ ଝିଅଙ୍କୁ ଧରି ଏକା ସାଙ୍ଗରେ କୂଅରେ ଡେଇଁପଡିବା ଭଳି ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନର କୋଟା ଜିଲ୍ଲାର ଏକ ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।
ମିଳିଥିବା ସୂଚନା ଅନୁସାରେ, କୋଟାର କାଲିୟାଖେଡୀରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି । ଶିବଲାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ପତ୍ନୀ ବାଦାମୀ ଦେବୀଙ୍କ ପ୍ରତିଦିନ କୌଣସି ନା କୌଣସି କାରଣକୁ ନେଇ ଝଗଡା ହେଉଥିଲା । ଏଥିରେ ବିବ୍ରତ ହୋଇ ନିଜ ଜୀବନ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ ବାଦାମୀ ଦେବୀ। ତାଙ୍କ ସ୍ବାମୀ ଶିବପାଲ କହିବା ମୁତାବକ, ଘଟଣା ଦିନ ଅପରାହ୍ନ ୧୨ଟା ସମୟରେ ସେ କୌଣସି କାମରେ ବାହାରକୁ ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ମଧ୍ୟ ଘରକୁ ଫେରିନଥିଲେ । ସେହିଦିନ ରାତିରେ ହିଁ ତାଙ୍କ ପତ୍ନୀ ବାଦାମୀ ଦେବୀ ୫ ଝିଅଙ୍କୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ ।
ରାତିରେ ଶିବପାଲ ଘରକୁ ଫେରି ଦେଖନ୍ତି ତ କେହି ନଥିଲେ । ପରେ ସନ୍ଦେହ ହେବାରୁ ଘର ପଛପଟେ ଥିବା କୂଅରେ ଦେଖିଥିଲେ । କୂଅ ଭିତରେ ୬ ଜଣଙ୍କ ମୃତ ଦେହ ଭାସୁଥିଲା । ପରେ ସେ ତୁରନ୍ତ ପୋଲିସକୁ ଫୋନ କରି ଡକାଇଥିଲେ । ପୋଲିସର ଏକ ଟିମ ସେଠାରେ ପହଞ୍ଚି ଶବଗୁଡିକୁ କୂଅରୁ ବାହାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶନିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହରୁ ହିଁ ଏଭଳି ଘଟଣା ଘଟିଥିବା ପୋଲିସ କହୁଥିବା ବେଳେ ସ୍ବାମୀ ଶିବପାଲକୁ ଅଟକ ରଖିଛି ପୋଲିସ । ସେପଟେ ଏଭଳି ଅଭାବନୀୟ ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୁରା ଗାଁ । ପୋଲିସ ଘଟଣାର ଅଧିନ ତଦନ୍ତ ଜାରି ରଖିଛି।