ସଂସ୍କାର : ସାବଧାନ ହୋଇଯାଆନ୍ତୁ ସୁନ୍ଦରୀ ଯୁବତୀମାନେ। କାରଣ ଡାକ୍ତର ବେଶରେ ବୁଲୁଛନ୍ତି ଚୋର। ନିଜକୁ ଏକ ପ୍ରତିଷ୍ଠିତ ଡାକ୍ତର କହି ସୁନ୍ଦର ସୁନ୍ଦର ଯୁବତୀଙ୍କୁ ଚିକ୍କଣ ଚିକ୍କଣ କଥା କହି ସେମାନଙ୍କୁ ଲୁଟୁଛନ୍ତି ଏହି ବ୍ୟକ୍ତି। ଯାହାଙ୍କ ବିଷୟରେ ଆମେ ଆଗକୁ ଆପଣଙ୍କୁ କହିବାକୁ ଯାଉଛୁ। ଆମ ସ୍ମାର୍ଟ ସିଟିରେ ବୁଲୁଛନ୍ତି ଚୋର ସ୍ମାର୍ଟ ଡାକ୍ତର।
ତେବେ ଡାକ୍ତର ସିନା ନକଲି କିନ୍ତୁ ଲୁଟ କରୁଛନ୍ତି ଅସଲି ଟଙ୍କା ଆଉ ମୋବାଇଲ୍। ନିଜକୁ ଏମକେସିଜିରେ ଗାଇନୋକୋଲୋଜିଷ୍ଟ ଡାକ୍ତର ବୋଲି ପରିଚୟ ସୃଷ୍ଟି କରି ଫେସବୁକ୍ ଓ ମାଟ୍ରିମୋନିରେ ସେହି ବିଜ୍ଞାପନ ଦେଇ କଟକର ପ୍ରଭାସ ରାଜ ନାମକ ଜଣେ ଯୁବକ ନିଆରା ଉପାୟରେ ସୁନ୍ଦରୀ ଯୁବତୀଙ୍କ ଠାରୁ ଲୁଟ କରୁଛନ୍ତି।
ସେ ଯେମିତି ମିଛ ବିଜ୍ଞାପନକୁ ଆଧାର କରି ଅନେକ ଝିଅଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି। ଆପଣ ବି ଜାଣିଲେ ତାଯୁବ ହୋଇଯିବେ। ସେ ପ୍ରଥମେ ସୁନ୍ଦର ସୁନ୍ଦର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫଶାନ୍ତି ଆଉ ପରେ ସୁଯୋଗ ଦେଖି ଯୁବତୀମାନଙ୍କୁ ଭେଟିବାର ବାହାନା କରି ସେମାନଙ୍କ ମୋବାଇଲ, ପର୍ସ ଓ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ପ୍ରକୃତରେ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିଲେ ପ୍ରଭାସ। ତେବେ ପ୍ରଭାସଙ୍କ ବିରୋଧରେ ଏକାଧିକ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି ।
ମାଟ୍ରିମୋନିଆଲ ସାଇଟ୍ରେ ମିଠା ମିଠା କଥା କହି ଡାକ୍ତରର ପରିଚୟ ଦେଇ ସୁନ୍ଦରୀ ଯୁବତୀଙ୍କ ହୃଦୟ ଜିତୁଥିଲେ । ସେମାନଙ୍କୁ ବଡ ବଡ ରେଷ୍ଟୁରାଣ୍ଟ, ସପିଂ ମଲକୁ ବୁଲେଇ ନେଇ ସେମାନଙ୍କ ପିଛା ଖର୍ଚ୍ଚ କରୁଥିଲେ। ଆଉ ସୁଯୋଗ ଦେଖି ଲୁଟି ନେଉଥିଲେ ମୋବାଇଲ ସହ ଲକ୍ଷାଧିକ ଟଙ୍କା । ଏପରି ୪୨୦ ପ୍ରେମିକ ପ୍ରବର ଲୁଟେରାକୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ବଡମ୍ବା ଅଞ୍ଚଳର ପ୍ରଭାସ ଦାସ ।
କିଛିଦିନ ତଳେ ଜଗସିଂହପୁର ରଘୁନାଥପୁର ଅଞ୍ଚଳର ରଶ୍ମିତା (ଛଦ୍ମନାମ)ଙ୍କୁ ମାଟ୍ରିମୋନିଆଲ ସାଇଟରୁ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ଦେଇଥିବା ଯୁବକ ନିଜକୁ ପ୍ରଭାସ ରାଜ ଏବଂ ସେ ଏମ୍କେସିଜିରେ ଡାକ୍ତର ଥିବା ଦର୍ଶାଇଥିଲେ । ଯୁବକ ଉଚ୍ଚ ଶିକ୍ଷିତ ଦେଖିବା ପରେ ରଶ୍ମିତା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ପରେ ପ୍ରଭାସ ତାଙ୍କ ହ୍ୱାଟସ୍ଆପ୍ରେ ଚାଟିଂ କରିଥିଲେ ।
ତା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ଏହି ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ସ୍ଥିର ହେଲା । ଉଭୟ ଭୁବନେଶ୍ୱରର ଏକ ତାରକା ରେଷ୍ଟୁରାଣ୍ଟରେ ଦେଖା କରିବା ପାଇଁ ସ୍ଥିର କଲେ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଏକ ରେଷ୍ଟୁରାଣ୍ଟରେ କ୍ୟାଣ୍ଡେଲ ଲାଇଟ୍ ଡିନର ପାଇଁ ବସିଲେ । ସୁସ୍ୱାଦୁ ଖାଇବା ମଧ୍ୟ ଅର୍ଡର ହେଲା । ଅଧା ଖାଇବା ବେଳେ ପ୍ରଭାସ ହଠାତ୍ ରଶ୍ମିତାଙ୍କ ଉପରକୁ ଚଟଣୀ ପକାଇ ଦେଇଥିଲେ । ପରେ ତାଙ୍କୁ ୱାସ୍ରୁମ ଯାଇ ଧୋଇବା ପାଇଁ କହିଥିଲେ । ରଶ୍ମିତା ୱାସ୍ରୁମ ଯିବା ପରେ ତାଙ୍କ ପର୍ସ ସହ ମୋବାଇଲ ଧରି ଛୁ ମାରିଥିଲେ ପ୍ରଭାସ ।
ରଶ୍ମିତା ୱାସ୍ରୁମରୁ ଫେରି ଦେଖିବା ବେଳକୁ ପ୍ରଭାସ ଗାଏବ । ଏନେଇ ସଙ୍ଗେ ସଙ୍ଗେ ସେ ସହିଦନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ଏତଲାକୁ ଭିତ୍ତି କରି ରବିବାର ବାଲେଶ୍ୱରରୁ ଅଭିଯୁକ୍ତ ପ୍ରଭାସକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଦଫା ୪୨୦ ଲଗାଇ ପଚରାଉଚରା କରୁଛି ।