ସଂସ୍କାର : ଉତ୍ତରପ୍ରଦେଶର ମହିଳା କେତେ ସୁରକ୍ଷିତ ତାହା ହାଥରସ ଘଟଣା ପରେ ଜଣାପଡିଥିଲା। ହେଲେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶ ମୁଜଫରନଗର ଜିଲ୍ଲାରେ ଦଶମ ଶ୍ରେଣୀର ୧୭ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍କୁଲର ପ୍ରିନ୍ସପାଲ ଓ ତାଙ୍କର ସହଯୋଗୀମାନେ ପ୍ରାକ୍ଟିକାଲ ପରୀକ୍ଷା ବାହାନାରେ ସେମାନଙ୍କୁ ରାତିରେ ସ୍କୁଲରେ ରହିବାକୁ କହିଥିଲେ। ଏହାପରେ ପ୍ରିନ୍ସପାଲଙ୍କ ଆଦେଶରେ ସେମାନଙ୍କୁ ଖାଦ୍ୟରେ ନିଶାଦେଇ ରାତିସାରା ସେମାନଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ପୁଲିସ କହିବା ମୁତାବକ ଏହି ଘଟଣା ନଭେମ୍ବର ୧୮ ତାରିଖରେ ଘଟିଥିଲା। ଏବେ ଅବିଭାବକ ଓ ପୀଡିତାମାନଙ୍କର ଅଭିଯୋଗ ପରେ ଏତଲା ଦାଖଲ କରାଯାଇଛି । ଏହାସହ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବାକୁ ଏକ ଟିମ ଗଠନ କରାଯାଇଥିବା କଥା ପୁଲିସ କହିଛି । ମୁଜାଫରନଗର ପୁଲିସ ପ୍ରମୁଖ ଅଭିଷେକ ଯାଦବ କହିଛନ୍ତି ଯେ, କାର୍ଯ୍ୟରେ ଅବହେଳା ଯୋଗୁଁ ଥାନା ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୨୮,୩୫୮,୫୦୬ ଓ ପୋକ୍ସୋ ଅଧିନିୟମରେ ମାମଲା ଦାଖଲ ହୋଇଛି ।
ଅଭିଯୋଗରେ କୁହାଯାଇଛି ଯେ, ପ୍ରିନ୍ସପାଲ ଯୋଗେଶ ଦଶମ ଶ୍ରେଣୀର ୧୭ ଜଣ ଛାତ୍ରୀଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ବାହାନାରେ ସ୍କୁଲକୁ ଡକାଇଥିଲେ । ଏହାପରେ ସେଠାରେ ତାଙ୍କୁ ଏକ କପି ଲେଖିବାକୁ ଦେଇ ସ୍କୁଲରେ ରାତିରେ ରହିବାକୁ କହିଥିଲେ । ସେ କହିଥିଲେ ଆସନ୍ତାକାଲି ପାଖ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ହେବ ତେଣୁ ତୁମେମାନେ ରାତିରେ ଏଠି ରହିଲେ କାଲି ସକାଳେ ସେହି ସ୍କୁଲକୁ ଯିବାକୁ ସୁବିଧା ହେବ । ଏହାପରେ ରାତିରେ ପ୍ରିନ୍ସପାଲ ଖେଚୁଡି ପ୍ରସ୍ତୁତ କରି ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ଖେଚୁଡି ଖାଇବା ପରେ ଛାତ୍ରୀମାନେ ବେହୋସ ହୋଇପଡିଥିଲେ । ଏହାପରେ ପ୍ରିନ୍ସପାଲ ଓ ତାଙ୍କ ସହଯୋଗୀମାନେ ଛାତ୍ରୀମାନଙ୍କ ସହ ଦୁଷ୍କର୍ମ କରିଥିଲେ ।