ସଂସ୍କାର : ଯେତିକି ଯେତିକି ଦିନ ଗଡ଼ିବାରେ ଲାଗିଛି ଠିକ୍ ସେହିଭଳି ତପସ୍ଵିନୀ ଓ ସୁମିତଙ୍କ କେସର ଗତିପଥ ମଧ୍ୟ ବଦଳିବାରେ ଲାଗିଛି। ବର୍ତ୍ତମାନ ପୁଣି ଏମାନଙ୍କର କେସର ନୂଆ ମୋଡ଼ ନେଇଛି। ଏହି ମାମଲାକୁ ନେଇ କିଛି ଚାଞ୍ଚଲ୍ୟକାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। କିଛି ସପ୍ତାହ ତଳେ କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ୭ ଦିନ ପର୍ଯ୍ୟନ୍ତ ରହି ବୁଝାବଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏମାନେ ୭ ଦିନ ଏକାଠି ରହିବା ପରେ ବି କିଛି ବି ସକରାତ୍ମକ ଖବର ଆସିଲା ନାହିଁ। ଓଲଟି ୭ ଦିନ ପରେ ସୁମିତ କାହାକୁ କିଛି ନଜଣାଇ କେଉଁଆଡ଼େ ଚମ୍ପଟ ମାରିଛନ୍ତି। ତେବେ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀ କୋର୍ଟର ଦ୍ଵାରସ୍ତ ହୋଇ ପିଟିସନ ଦାଖଲ କରିଥିଲେ।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସୁମିତଙ୍କର କୌଣସି ଖୋଜ ଖବର ମିଳୁନାହିଁ। ମାତ୍ର ସୁମିତଙ୍କ ଓକିଲ ରାଜ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ ଯେ, ସୁମିତଙ୍କର ଶରୀର ଅସୁସ୍ଥ ଥିବାରୁ ସେ ତାଙ୍କ ସାଙ୍ଗଙ୍କ ଘରେ ବର୍ତ୍ତମାନ ଅଛନ୍ତି। ତେବେ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଅନେକ ବୟାନ ଦେଇଛନ୍ତି। କିନ୍ତୁ ତପସ୍ଵିନୀଙ୍କ କଥାକୁ କଟାକ୍ଷ କରିଛନ୍ତି ସୁମିତଙ୍କର ଓକିଲ। ତପସ୍ଵିନୀଙ୍କ କଥାରେ କିଛି ବିଷୟବସ୍ତୁ ନ ଥିବା କହିଛନ୍ତି ସୁମିତିଙ୍କର ଓକିଲ। ସୁମିତଙ୍କ ଓକିଲ ଗଣମାଧ୍ୟମଙ୍କ ସହ କଥା ହୋଇ ସମସ୍ତ କଥା କ୍ଲିୟର କରିଛନ୍ତି ଯାହାର ଅଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।
ସୁମିତଙ୍କ ଓକିଲ ଅଡିଓ କଲ୍ ରେ କହିଛନ୍ତି ଯେ, -‘ତପସ୍ଵିନୀ ନିଜ ସ୍ଵାମୀଙ୍କ ବିରୋଧରେ ଗୋଟେ ପରେ ଗୋଟେ ଅଭିଯୋଗ ଆଣି ଚାଲିଛନ୍ତି । ସେ ତାଙ୍କ ସ୍ଵାମୀଙ୍କ ବିରୋଧରେ ପ୍ରଥମେ ୪୯୮ କେସ ଦେଇଥିଲେ ତା ପରେ ସେ ଲଗାତାର ଅଭିଯୋଗ ଦେଇ ଚାଲିଛନ୍ତି’ । ତପସ୍ଵିନୀ କହିଥିଲେ ସୁମିତଙ୍କ ବାପା ମା ପ୍ରେମ ବିବାହ କରିଛନ୍ତି ତା ହେଲେ ସେ ତାଙ୍କ ପୁଅର ପ୍ରେମକୁ କାହିଁକି ଗ୍ରହଣ କରୁ ନାହାନ୍ତି । ମୋର କହିବା କଥା ତାଙ୍କ ବାପା ମା ପ୍ରେମ ବିବାହ କରିଥିଲେ ହେଲେ ସୁମିତଙ୍କ ମା ତାଙ୍କ ବାପା ବିରୋଧରେ ୪୯୮ କେସ ଦେଇନଥିଲେ । ସୁମିତ ତପସ୍ଵିନୀଙ୍କ ସହ ସୁଖରେ ଜୀବନ ବିତାଇବା ପାଇଁ ବିବାହ କରିଥିଲେ ହେଲେ ସୁଖଟା ଦୁଃଖରେ ପାଲଟିଗଲା ତେଣୁ ସୁମିତ ନିଜ ସ୍ତ୍ରୀ ତପସ୍ଵିନୀଙ୍କୁ ରଖିବା ପାଇଁ ନାରାଜ।
ସୁମିତଙ୍କର ଓକିଲ ଆହୁରି ମଧ୍ୟ କହିଛନ୍ତି-‘ତପସ୍ଵିନୀ ବାରମ୍ବାର କହୁଛନ୍ତି ସୁମିତଙ୍କ ମୋବାଇଲ ଅଫ ଅଛି ହେଲେ ଏହା ମିଛ କଥା ସୁମିତଙ୍କ ମୋବାଇଲ ଅନ୍ ଅଛି ହେଲେ କେତେବେଳେ ଫୋନରେ ଚାର୍ଜ ନଥିବା ବା କିଛି ଅସୁବିଧା ହୋଇଥିବ ସେତେବେଳେ ତାଙ୍କ ଫୋନ ଅଫ ରହେ। ସୁମିତ ଏବେ ମାନସିକ ଚିନ୍ତାରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବହୁତ ଖରାପ ଅଛି । ଦେଖନ୍ତୁ ତାଙ୍କୁ ମାନସିକ ଚାପ ଦିଆଯାଉଛି ବାରମ୍ବାର ତାଙ୍କର ଓ ତାଙ୍କ ପରିବାରର ମାନହାନି ହେଉଛି। ତପସ୍ଵିନୀଙ୍କ ପ୍ରହସନ ଦେଖି ସୁମିତଙ୍କୁ ବହୁତ ବାଧୁଛି। ସେ ମାନସିକସ୍ତରରେ ବହୁତ ଦୁର୍ବଳ ହୋଇଗଲେଣି। ତାଙ୍କୁ ବର୍ତ୍ତମାନ ବିଶ୍ରାମ ଦରକାର।