ସଂସ୍କାର : ଗତ ୧୬ ତାରିଖ ଦିନ ୬ ହଜାର ୧୩୧ ଶିକ୍ଷକଙ୍କୁ ନୂଆ ନିଯୁକ୍ତିପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରିଛନ୍ତି। ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ କରାଯିବ ।
ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ୬ ହଜାର ୧୩୧ ଶିକ୍ଷକଙ୍କୁ ଆଜି ନିଯୁକ୍ତିପତ୍ର ଦିଆଯିବା ସହିତ ସେମାନଙ୍କର ଓରିଏଣ୍ଟେସେନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଲାଗି କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଛି ।
ଅପରାହ୍ଣ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ମୁଖ୍ୟମନ୍ତ୍ରୀ ଯୋଗଦେବ । ସେହିପରି ଅପରାହ୍ଣ ୧ଟା ସୁଦ୍ଧା ଶିକ୍ଷକମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ । ସେମାନଙ୍କ ଯିବା ଆସିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତ ଶିକ୍ଷକ ଡ୍ରେସକୋର୍ଡ଼ରେ ଆସିବା ସହିତ ଷ୍ଟାଡିୟମରେ ପ୍ରବେଶ ପାଇଁ ସେମାନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରାଯାଇଛି । ତେବେ କଟକରେ ସର୍ବଧିକ ୪୩୮ଜଣ ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରେ ୩୯୧, ମୟୂରଭଞ୍ଜ ୩୮୨, କେନ୍ଦୁଝର ୩୫୬ ଜଣ ଓ ଦେବଗଡ଼ରେ ସର୍ବନିମ୍ନ ୩୨ ଜଣ ଶିକ୍ଷକ ନିଯୁକ୍ତି ପାଇବେ ।
ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ବାଣ୍ଟିବେ । ଷ୍ଟାଡିୟମ୍କୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ୍, ଆଧାରକାର୍ଡ଼, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ ।