ସଂସ୍କାର : ବନ୍ଦ ହେଲା ରାଜ୍ୟ ରାଜଧାନୀର ସବୁଠାରୁ ବଡ଼ ବ୍ୟବସାୟସ୍ଥଳ ମାର୍କେଟ ବିଲ୍ଡିଂ। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ। ବହୁ ଘମାଘୋଟ ଲଢେଇ ପରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ।
ଘଟଣାକ୍ରମ ଏହା ଯେ, ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେବାରୁ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଯେପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ।
ଅପରପକ୍ଷରେ ଗତକାଲି ଦିନ ୧୧ଟା ସମୟରେ ବ୍ୟବସାୟୀ ସଂଘ, ବିଏମ୍ସି ଅଧିକାରୀ ଓ କମିଶନରେଟ୍ ପୋଲିସର ବୈଠକ ବସିଥିଲା। ଏହା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତି ହୋଇଥିଲା।
ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜନୈକ ଉଠାଦୋକାନୀ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ଅଭିଯୋଗ ହେବା ପରେ ଉତେଜନା ଦେଖାଦେଇଥିଲା । ବ୍ୟବସାୟୀ ସଂଘ ତରଫରୁ କୁହାଯାଇଛି ଯେ, ମାର୍କେଟ ବିଲ୍ଡିଂରେ ଦିନକୁ ଦିନ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ଉଠାଦୋକାନୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ଅଘଟଣ ଘଟୁଛି । ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମ୍ସି କର୍ତୃପକ୍ଷ ପହଞ୍ଚି ବୁଝାସୁଝା କରିଥିଲେ ।