ସଂସ୍କାର : କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’ ବର୍ତ୍ତମାନ ବିଶ୍ୱବ୍ୟାପୀ ଚାଂଚଲ୍ୟ ସୃଷ୍ଟି କରିଛି। ଗତ ଦୁଇ ବର୍ଷ ହେବ କରୋନା ଭାଇରସ ମଣିଷ ସମାଜକୁ ହୀନସ୍ତା କରିସାରିଲେଣି। କିନ୍ତୁ କରୋନାଠାରୁ ରକ୍ଷା ପାଇବା ପାଇଁ ଆମ ବିଶ୍ୱର ବୈଜ୍ଞାନିକମାନେ ଟୀକା ଉଦ୍ଭାବନ କରିସାରିଛନ୍ତି। ଏମିତିକି ଅନେକ ଦେଶର ସରକାର ଲୋକଙ୍କୁ ତୃତୀୟ ଡୋଜ ପର୍ଯ୍ୟନ୍ତ ଟୀକା ଦେଇସାରିଲେଣି। ଠିକ ସେହିପରି ଆମ ଦେଶରେ ବି ଦ୍ଵିତୀୟ ଡୋଜ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ବର୍ତ୍ତମାନ କରୋନା ଟୀକାକୁ ନେଇ ଏକ ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।
କରୋନାର ‘ଓମିକ୍ରନ୍’ ଭ୍ୟାରିଆଣ୍ଟ ପୁଣି ଥରେ ବିଶ୍ଵପ୍ରତି ବିପଦ ସହିତ ପ୍ରତିବନ୍ଧକକୁ ଫେରାଇ ଆଣିଛି। କିନ୍ତୁ ତଥାପି ବହୁତ ଲୋକ ଅଛନ୍ତି ଯେଉଁମାନେ କରୋନା ଭାଇରସ୍ ଏବଂ ଟୀକାକରଣକୁ ଥଟ୍ଟା ପରିହାସ କରି ଏହା ସହିତ ଖେଳୁଛନ୍ତି। ତେବେ ଇଣ୍ଡୋନେସିଆରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ୧୪ ଡୋଜ୍ କରୋନା ଟିକା ନେଇଛନ୍ତି। ଏହା ଜଣାପଡିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଜନସାଧାରଣ। ଆଉ ଏହି ବ୍ୟକ୍ତି ଏପରି କରିବା ପଛର କାରଣ ଜାଣିଲେ ଚକିତ ହୋଇଯିବେ ଆପଣ। କାରଣ ସେ ଟଙ୍କା ପାଇଁ ୧୪ ଥର ଟୀକା ନେଇଛନ୍ତି ବୋଲି ନିଜ ମନ୍ତବ୍ୟରେ ପ୍ରକାଶ କରିଛନ୍ତି। ଯେତେବେଳେ ଏହି ଖବର ଲୋକଲୋଚନକୁ ଆସିଲା ଠିକ ସେହି ସମୟରେ ଇଣ୍ଡୋନେସିଆର ସରକାରଙ୍କ ସମେତ ବିଶ୍ଵର ଅନେକ ଲୋକ ଚକିତ ହୋଇଯାଇଛନ୍ତି।
ବାସ୍ତବରେ ‘ସାଉଥ ଚାଇନା ମର୍ନିଂ ପୋଷ୍ଟ’ ସ୍ଥାନୀୟ ଗଣମାଧ୍ୟମର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସିରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ମୋଟ ୧୪ ଟି କରୋନା ଟିକା ମିଳିଛି। ଏଥିମଧ୍ୟରୁ ଦୁଇଟି ଡୋଜ୍ ବ୍ୟକ୍ତିଙ୍କ ନାମରେ ନିଆଯାଇଛି, ବାକିଗୁଡିକ ଅନ୍ୟମାନଙ୍କ ନାମରେ ନିଆଯାଇଛି। ରିପୋର୍ଟରେ ଉଲେଖ୍ୟ ଅଛି ଯେ, ବ୍ୟକ୍ତି ଜଣକ ଅନ୍ୟମାନଙ୍କ ନାମରେ ଟୀକା ନେଉଥିଲେ ଏବଂ ତା’ପରେ ତାଙ୍କ ସାର୍ଟିଫିକେଟକୁ ପାଚଶହରୁ ଚାରି ହଜାର ଟଙ୍କା (ଭାରତୀୟ ମୁଦ୍ରାରେ ) ପର୍ଯ୍ୟନ୍ତ ବିକ୍ରି କରୁଥିଲେ।
ଏହି ବ୍ୟକ୍ତିଙ୍କ ଏହି ଅସମ୍ଭବ ତଥା ଆଶ୍ଚର୍ଯ୍ୟ କାର୍ଯ୍ୟ ସାମ୍ନାକୁ ସେତେବେଳେ ଆସିଲା ଯେତେବେଳେ ସେ ଏକ ଭିଡିଓ ତିଆରି କଲେ ଏବଂ ଏହି ଅଫରକୁ ଲୋକଙ୍କ ସାମ୍ନାରେ ରଖିଲେ। ବ୍ୟକ୍ତି ଜଣକ ଖୋଲାଖୋଲି ଭାବରେ ଗୋଟିଏ ଭିଡିଓ ପ୍ରସ୍ତୁତ କରି ଏଥିରେ କହିଛନ୍ତି ଯେ ଯଦି ଅନ୍ୟ କେହି ଇଞ୍ଜେକ୍ସନ ବିନା ତାଙ୍କ ସାର୍ଟିଫିକେଟ୍ ଚାହୁଁଛନ୍ତି, ତେବେ ତାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ଧରିଲା ଏବଂ ସେ ପୁରା କାହାଣୀ ପୋଲିସ ସମ୍ମୁଖରେ କହିଛନ୍ତି।
ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଇଣ୍ଡୋନେସିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏପରି କାର୍ଯ୍ୟ କରି ସାର୍ଟିଫିକେଟ୍ ବିକ୍ରି କରୁଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ବେଲଜିୟମରୁ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ଯୁବକ ଆଠଥର କରୋନା ଟିକା ଦେଇଥିଲେ।