ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର , ଜାଣନ୍ତୁ କେବେ ?

ସଂସ୍କାର : ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଫେବ୍ରୁଆରୀ ୧ ତାରିଖରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଖୋଲିବ ଶ୍ରୀମନ୍ଦିର। ଆସନ୍ତା ୧ ତାରିଖରୁ ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ଶୁକ୍ରବାର ବସିଥିଲା ଛତିଶା ନିଯୋଗ ବୈଠକ। ଏଥିରେ ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଶ୍ରୀମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା। ସମସ୍ତେ ମନ୍ଦିର ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ।

ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଫେବ୍ରୁଆରୀ ୧ ତାରିଖରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ପୂର୍ବପରି ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। ସେହି ଦିନ ମନ୍ଦିର ସାନିଟାଇଜ୍‌ କରାଯିବ। ମନ୍ଦିର ଖୋଲିବା ଓ ବନ୍ଦ ନେଇ ଏସ୍‌ଓପି ଆସିବ। ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *