ଖଣ୍ଡଗିରି ଯାତ୍ରା ବନ୍ଦ, ମିଳିଲାନି ଅନୁମତି

ସଂସ୍କାର : ପୁଣି ବାଧକ ସାଜିଲା ମହାମାରୀ କରୋନା। ଖଣ୍ଡଗିରି ଯାତ୍ରାକୁ ଅନୁମତି ଦେଲା ନାହିଁ ପ୍ରଶାସନ। ଯାତ୍ରା ଆୟୋଜନକୁ ସଫା ସଫା ମନାକରି ଦେଇଛି ପ୍ରଶାସନ। ହେବନି ଖଣ୍ଡଗିରି ଯାତ୍ରା। ଦ୍ୱିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ବନ୍ଦ ହେଲା ଯାତ୍ରା । ଗତବର୍ଷ ପରି ଏବର୍ଷ ବି ହେବନି ଯାତ୍ରା । ଯେଉଁଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।

ସମସ୍ତଙ୍କ ଅପେକ୍ଷା ଥିଲା ଗତବର୍ଷ ଯାହା ହେଲା, ଏବର୍ଷ କିନ୍ତୁ ଅନୁମତି ମିଳିବ । ମାତ୍ର ସ୍ଥାନୀୟ ପ୍ରଶାସନ ଅନୁମତି ଦେବାକୁ ସିଧା ମନା କରି ଦେଇଛନ୍ତି । ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ଅନୁମତି ମଗା ଯାଇଥିଲା । କମିଟି ପ୍ରଥମେ ଭୁବନେଶ୍ୱର ଡିସିପି ଏବଂ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନରଙ୍କ ପାଖରେ ଦରଖାସ୍ତ ଆବେଦନ କରିଥିଲେ । ଉଭୟଙ୍କ ପକ୍ଷରୁ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି ଆଉ ଭୁବନେଶ୍ୱର ଡିସିପି। ଖଣ୍ଡଗିରି ମେଳା ଯାତ୍ରା ଇତିହାସରେ ଏହା ଦ୍ୱିତୀୟ ଘଟଣା । ଦ୍ୱିତୀୟ ଥର ପାଇଁ ବନ୍ଦ ହେଲା ଯାତ୍ରା ପରିବେଷଣ । ପ୍ରତି ବର୍ଷ ସବୁ ବାଦବିବାଦ ପରେ ମେଳା ହୋଇଥାଏ । ହେଲେ ଗତବର୍ଷ ପରି ଏଥର ବି ସେ ସୁଯୋଗ ନାହିଁ ।

୧୯୬୪ ମସିହାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଏହି ଯାତ୍ରା ମହୋତ୍ସବର ପରିକଳ୍ପନା କରାଯାଇଥିଲା । ତାଙ୍କ ନିର୍ଦ୍ଦେଶ କ୍ରମେ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରା ଆରମ୍ଭ ହୋଇଥିଲା । ସେବେଠାରୁ ଏହି ଯାତ୍ରା ହୋଇଆସୁଛି । ମାତ୍ର କରୋନା ଲାଗି ଦୁଇବର୍ଷ ହେବ ସରକାର ଯାତ୍ରାକୁ ବନ୍ଦ କରିଛନ୍ତି । ଫଳରେ ଦୀର୍ଘବର୍ଷର ଯାତ୍ରା ପରମ୍ପରାରେ ବ୍ରେକ୍‌ ଲାଗିଛି । ଗତବର୍ଷ ବନ୍ଦ ପରେ ୫୬ବର୍ଷର ଯାତ୍ରା ପରମ୍ପରା ଭାଙ୍ଗିଥିଲା । ଯାହାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା । ଯାତ୍ରା କମିଟି, ଯାତ୍ରା ଦଳ, କଳାକାର ଓ ଯାତ୍ରା ସଂସ୍କୃତି ପ୍ରେମୀ ଅସନ୍ତୋଷ ଜାହିର କରିଥିଲେ । ଚଳିତ ବର୍ଷ କିନ୍ତୁ କରୋନାର ତାଣ୍ଡବ ଦେଖି ସମସ୍ତେ ସରକାରଙ୍କ କଟକଣା ଏବଂ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିକୁ ମାନି ନେଇଛନ୍ତି ।

Leave a Reply

Your email address will not be published. Required fields are marked *