ଆହୁରି ବଢିବ ଶୀତ , ୫ ଦିନ ଥରାଇବ !

ସଂସ୍କାର : ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ରାଜ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ । ଗତ ୪୮ ଘଣ୍ଟା ମଧ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ରାତ୍ରି ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବାର ସମ୍ଭାବନା ରହିଛି। ଆସନ୍ତା ଫେବୃଆରୀ ୧ ତାରିଖ ଯାଏଁ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାହାଡିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ରେକର୍ଡ ହେବା ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌.ଆର୍‌. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରବଳ ଶୀତର ପ୍ରକୋପ ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ। ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ତେବେ ଆଜିଠାରୁ ଶୀତର ତାପମାତ୍ରା ଟିକେ ବଢ଼ିପାରେ।

ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଜି ଓ ଆସନ୍ତାକାଲି ଏଠାରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ପାଖାପାଖି ରହିପାରେ। ସେହିପରି ଏବେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି।

Leave a Reply

Your email address will not be published. Required fields are marked *