ସଂସ୍କାର : ହୋଟେଲର ବାଲକୋନୀରୁ ତଳକୁ ଡେଇଁଲେ ମଡେଲ୍। ଏକ ୧୦ ମହଲା ବିଶିଷ୍ଟ ହୋଟେଲର ସପ୍ତମ ମହଲାରୁ ତଳକୁ ଡେଇଁଲେ ମଡେଲ୍। ଆଉ ଡେଇଁବାର କିଛି ଘଣ୍ଟା ପୂର୍ବରୁ ବାପା ଆଉ ଭାଇଙ୍କୁ ପଠାଇଥିଲେ ଭଏସ୍ ମେସେଜ। ଭଏସ୍ ମେସେଜରେ କହିଥିଲେ ମୋ ସହିତ ବହୁତ ବଡ଼ ଅନ୍ୟୟ ହୋଇଛି। ମୁଁ ବଞ୍ଚିବାକୁ ଚାହେଁନି।
ଏହିଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି। ଆଉ ଆତ୍ମହତ୍ୟା ଉଦ୍ୟମ କରିଥିବା ମଡେଲ୍ ଯୁବତୀଙ୍କର ନାମ ଗୁନଗୁନ୍ ଉପାଧ୍ୟାୟ। ମଡେଲ୍ ଗୁନଗୁନ୍ ୭ ମହଲା ବିଶିଷ୍ଟ ହୋଟେଲର ଟେରାସରୁ ଆତ୍ମହତ୍ୟା କରିବାକୁ ଡେଇଁପଡିଥିଲେ। ହୋଟେଲରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଡାକ୍ତରଖାନାକୁ ତାଙ୍କୁ ନେଇ ଯାଇଥିଲେ, ଆଉ ଗୁନଗୁନ ବର୍ତ୍ତମାନ ନିଜର ନୂଆ ଜୀବନ ଫେରି ପାଇଛନ୍ତି।
ବର୍ତ୍ତମାନ ଏହି ମାମଲାରେ ହନିଟ୍ରାପ ନା ବ୍ଲାକମେଲିଂ ତାହା ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି। ସୂଚନାନୁସାରେ, ଗୁନଗୁନ୍ ବାଥରୁମରେ ଗାଧୋଉଥିବା ବେଳେ, ସେହି ସମୟରେ ତାଙ୍କର କେହି ଲୁଚି ଭିଡିଓ ଉତ୍ତୋଳନ କରିଛି। ଭିଡ଼ିଓ ଉତ୍ତୋଳନ କରିବା ପରେ ଏହି ଭିଡ଼ିଓକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିଲା। ଭିଡ଼ିଓ ଭାଇରାଲ ହେବା ଭୟରେ ସେ ଏଭଳି ପନ୍ଥା ଆପଣାଇଥିବା ଜଣାପଡିଛି।
ଯୋଧପୁର ପୋଲିସ କମିଶନର ଡିସିପି ଭୁବନ ଭୂଷଣ ଯାଦବ କହିଛନ୍ତି ଯେ ଗୁନଗୁନଙ୍କ ଜରିଆରେ ଭିଲୱାରା ନେତା ରାମଲାଲଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିଲା। ଗୁନଗୁନଙ୍କୁ ନେତା ରାମଲାଲଙ୍କ ସହିତ ଅନ୍ତରଙ୍ଗ ହେବାକୁ କୁହାଯାଇଥିଲା। ତେଣୁ ଗୁନଗୁନଙ୍କୁ ସର୍କିଟ ହାଉସକୁ ପଠାଯାଇଥିଲା। ଏମିତିକି ନେତାଙ୍କ ସହ ମଡେଲର ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।
ଅପରାଧୀମାନେ ନେତାଙ୍କୁ ବ୍ଲାକମେଲ କରିବାକୁ ଷଡଯନ୍ତ୍ର କରିଥିଲେ, କିନ୍ତୁ ନେତା ତାଙ୍କ କାମ କରିବାକୁ ଗୁନଗୁନଙ୍କ ଜରିଆରେ ମନା କରିଦେଇଥିଲେ। ଯାହାପରେ ଗୁନଗୁନ୍ ସେଠାରୁ ଯୋଧପୁରକୁ ଫେରି ସିଧା ହୋଟେଲ ଯାଇ ଛାତରୁ ତଳକୁ ଡେଇଁପଡିଥିଲେ। ତେବେ ଏହି ମାମଲାରେ ଅକ୍ଷତ ଶର୍ମା ଏବଂ ଦୀପାଲିଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଅକ୍ଷତ ଶର୍ମା ଜଣେ ସିରିୟଲ ଅପରାଧୀ ଏବଂ ଏହା ପୂର୍ବରୁ ମଧ୍ୟ ଅନେକ ହନିଟ୍ରାପ ମାମଲାରେ ସମ୍ପୁକ୍ତ ରହିଛି।
ତେବେ ଏହି କାମ କରିବା ପୂର୍ବରୁ ଗୁନଗୁନ ତାଙ୍କ ପିତା ଏବଂ ଭାଇଙ୍କ ନିକଟକୁ ଏକ ଅଡିଓ ବାର୍ତା ପଠାଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ସହିତ ଅନ୍ୟାୟ କରାଯାଇଛି, ଯେଉଁଥିପାଇଁ ସେ ଆଉ ବଞ୍ଚିବାକୁ ଚାହୁଁନାହାଁନ୍ତି। ଏହି ଅଡିଓ ବାର୍ତା ଶୁଣିବା ପରେ , ଗୁନଗୁନଙ୍କର ବାପା ଝିଅ ପାଖକୁ କଲ କରିଥିଲେ ବୋଲି କହିଛନ୍ତି। ଗୁନଗୁନଙ୍କର ବାପା ତାଙ୍କୁ ଫୋନରେ କହିଥିଲେ ଯେ, କିଛି ବି ଭୁଲ ହୋଇ ନାହିଁ, ତୁ ଚିନ୍ତା କରେନି ଘରକୁ ଆସେ। କିନ୍ତୁ କିଛି ସମୟ ପରେ କେହି ଜଣେ କଲ୍ କରି ତାଙ୍କୁ ଅବଗତ କରାଇଲେ ଯେ, ତାଙ୍କ ଝିଅ ଆତ୍ମହତ୍ୟା ଉଦ୍ୟମ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ନେତା ରାମଲାଲଙ୍କ ସହିତ କିଛି ମୁହୂର୍ତ୍ତ ଅନ୍ତରଙ୍ଗ ହେବା ପାଇଁ ଗୁନଗୁନ ୩୫ ହଜାର ଟଙ୍କା ନେଇଥିଲେ।