ମହାଭାରତର ଭୀମଙ୍କର ପରଲୋକ , ଇହଧାମ ତ୍ୟାଗକଲେ ଅଭିନେତା ପ୍ରବୀଣ କୁମାର, ଜାଣନ୍ତୁ ତାଙ୍କ ଉପଲବ୍ଧି ବିଷୟରେ…

ସଂସ୍କାର : ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥତା ସହ ସଂଗ୍ରାମ କରୁଥିବା ପ୍ରବୀଣ କୁମାର ସୋବଟୀ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରବୀଣ କୁମାର କେବଳ ଅଭିନୟରେ ନୁହେଁ କ୍ରୀଡା ଜଗତରେ ମଧ୍ୟ ଅନେକ ସୁନାମ ଅର୍ଜନ କରିଥିଲେ। ସାଢେ ୬ଫୁଟ ଉଚ୍ଚତା ବିଶିଷ୍ଟ ଏହି ଅଭିନେତା ଜଣକ ଜଣେ ଭଲ ଖେଳାଳି ମଧ୍ୟ ଥିଲେ।

ପଞ୍ଜାବର ପ୍ରବୀଣ କୁମାର ମଧ୍ୟ ଅନେକ ବଲିଉଡ ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ବିଶେଷ କରି ସେ ଭୀମ ଭୂମିକା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । କୁହାଯାଉଛି ଯେ ପ୍ରବୀଣ କୁମାର ସୋବଟୀ ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏମିତିକି ସୋସିଆଲ ମିଡିଆରେ ଟ୍ୱିଟ କରି ସହାୟତା ବି କାମନା କରୁଥିଲେ ।

ସୂଚନା ଥାଉକି, ଅଭିନୟରେ ଯୋଗଦେବା ପୂର୍ବରୁ ପ୍ରବୀଣ କୁମାର ସୋବଟୀ ଜଣେ ଆଥଲେଟ୍ ଥିଲେ । ସେ ଏସୀୟ ଏବଂ କମନୱେଲଥ ଗେମ୍ସରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ।

ଏଥିପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । କ୍ରୀଡା ଜଗତରେ ନାମ ଅର୍ଜନ କରିବା ପରେ ସେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ମଧ୍ୟ ଚାକିରୀ ପାଇଥିଲେ।

ଏସିଆନ୍ ଗେମ୍ସ ଏବଂ ଅଲିମ୍ପିକ୍ସରେ ତାଙ୍କର ପ୍ରଦର୍ଶନ ହେତୁ ପ୍ରବୀଣ ଏତେ ଲୋକପ୍ରିୟ ହୋଇଥିଲେ ଯେ ବିଏମ୍ ଚୋପ୍ରା ତାଙ୍କୁ ମହାଭାରତରେ ଭୀମଙ୍କ ଭୂମିକା ପାଇଁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅଭିନୟରେ ପୂର୍ବରୁ ପାଦ ଦେଇନଥିବା ପ୍ରବୀଣ , ଭୀମ ଚରିତ୍ରରେ ଅଭିନୟ କରି ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ। ଏହା ପରେ ଦୁନିଆ ତାଙ୍କୁ “ଭୀମ” ନାମରେ ସମ୍ବୋଧିତ କରିବା ଆରମ୍ଭ କଲା।

Leave a Reply

Your email address will not be published. Required fields are marked *