ସଂସ୍କାର : ବନ୍ଧାହେଲେ କୁବେର ଡାକ୍ତର ସୁକାନ୍ତ ଜେନା। ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଧରପଡିଥିଲେ ଡାକ୍ତର ସୁକାନ୍ତ ଜେନା। ପୁରୀ ଚାରିଛକସ୍ଥିତ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞର ଡାକ୍ତର ହେଉଛନ୍ତି ସୁକାନ୍ତ ଜେନା।
ସୂଚନା ଅନୁସାରେ, ପ୍ରସବ ପାଇଁ ଜଣେ ପ୍ରସୂତୀଙ୍କ ସମ୍ପର୍କୀୟଙ୍କଠାରୁ ଡାକ୍ତର ସୁକାନ୍ତ ଜେନା ୮ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ସମୟରେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ।

ଏହି ଘଟଣା ପରେ ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ତାଙ୍କ ଘରୁ ନଗତ ୧ କୋଟି ୧୨ ଲକ୍ଷ ଅଧିକ ଟଙ୍କା ଜବତ ହୋଇଛି।ଏତେ ଟଙ୍କା ହାତରେ ଗଣିବା ସମ୍ଭବ ହୋଇ ନଥିବା କାରଣରୁ ଶେଷରେ ମେସିନ୍ ସାହାଯ୍ୟରେ ହିସାବ କରିଥିଲା ଭିଜିଲାନ୍ସ ଟିମ୍ ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ଘରୁ କୋଟିଏରୁ ଅଧିକ ଟଙ୍କା ମିଳିବା ଭିଜିଲାନ୍ସ ଟିମ୍ ଓ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକାଥରେ ଏତେ ନଗଦ ଟଙ୍କା ଠାବ ହେବା ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି ଜଣାପଡିଛି।

ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋଟିପତି କୁବେର ଡାକ୍ତର ସୁକାନ୍ତ ଜେନାଙ୍କ ଭୁବନେଶ୍ୱରସ୍ଥିତ କଳାରହଙ୍ଗା ଘରୁ ଚଢ଼ଉ ବେଳେ ନଗଦ ୧ କୋଟି ୧୨ଲକ୍ଷ ଟଙ୍କା ମିଳିଥିଲା। ଡାକ୍ତର ବାବୁଙ୍କର କଳାରହଙ୍ଗାରେ ତିନି ମହଲା ବିଶିଷ୍ଟ ବିଲ୍ଡିଂ ରହିଛି। ଜଟଣୀରେ ଦୁଇଟି ବ୍ୟୟବହୁଳ ପ୍ଲଟ ମଧ୍ୟ ରହିଛି। ପୁରୀରେ ଷ୍ଟୁଡ଼ିଓ ଆପାର୍ଟମେଣ୍ଟ ରହିଛି। ସେହିପରି ୩୮ ଲକ୍ଷ ୬୩ ହଜାର ଟଙ୍କାର ବୀମା ରହିଛି। ଦୁଇଟି ଦାମୀ କାର୍ ରହିଛି। ସୁକାନ୍ତଙ୍କ ଘରୁ ଅନେକ ଦାମୀ ଜିନିଷ ମଧ୍ୟ ମିଳିଛି। ତେବେ ସୁକାନ୍ତଙ୍କୁ ବର୍ତ୍ତମାନ ଭିଜିଲାନ୍ସ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି।