ଜୀବନ ପରେ ବି ଜୀଇଁବାର ଇଚ୍ଛା ରଖି ତଥା ନିଜ ମୃତ୍ୟୁ ବାଆଦେ ବି କାହାର ଉପକାର କରିବା ମନୋଭାବ ରଖି ନିଆଯାଏ ଏକ ନିଆରା ପଦକ୍ଷେପ, କରାଯାଏ “ଅଙ୍ଗ ଦାନ” । ଏହି ଦୌଡ଼ରେ ସାମିଲ ହୋଇଛନ୍ତି ଚର୍ଚ୍ଚିତ ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ଜେନେଲିଆ ଡି’ସୁଜା । ଗତକାଲି ଡକ୍ଟର ଦିବସରେ ଉଭୟ ନିଜର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏକ ଭିଡ଼ିଓ ଦ୍ୱାରା ଏନେଇ ସୂଚନା ଦେଇଛନ୍ତି ।
ଏହି ଦୁଇ ସିନେ କଳାକାର ନିଜର ନିଆରା ଷ୍ଟାଇଲ୍ ପାଇଁ ସବୁବେଳେ ଜଣାଶୁଣା ଓ ଉଭୟ ସୋସିଆଲ ମିଡ଼ିଆରେ ବି ବେଶ୍ ସକ୍ରିୟ ଥାଆନ୍ତି । କିଛି ନା କିଛି ଫଟୋ ଓ ଭିଡ଼ିଓ ଶେୟାର କରି ପ୍ରଶଂସକମାନଙ୍କ ଭିତରେ ମଜ୍ଜି ରୁହନ୍ତି । କିନ୍ତୁ ଗତକାଲି ଦୁହେଁ ମିଶି ଜୀବନର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ସେମାନଙ୍କୁ ଆହୁରି ଚର୍ଚ୍ଚିତ କରିବା ସହିତ ପ୍ରଶଂସା ଦେଉଛି ।
ଉକ୍ତ ଭାଇରାଲ ହେଉଥିବା ଭିଡ଼ିଓରେ ଦୁହେଁ କହିଛନ୍ତି ଯେ “ଆମେ ଏ ବିଷୟରେ ଅନେକ ଥର ଚିନ୍ତା କରିଛୁ ସତ କିନ୍ତୁ ଦୁର୍ଭାଗ୍ୟବଶତଃ କେବେ କହି ପାରିନଥିଲୁ । ତେଣୁ ଜୁଲାଇ ୧ ତାରିଖରେ ଏହି ଡକ୍ଟର ଦିବସରେ ଆମେ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛୁ ।“ ଜେନେଲିଆ କହିଛନ୍ତି ଯେ ଆମେ ନିଜର ଅଙ୍ଗ ଦାନ ନିଷ୍ପତ୍ତିକୁ ବହୁତ ଖୁସି ଅଛୁ । ଆଉ ଅଙ୍ଗ ଦାନ ଗୋଟିଏ ବିଶେଷ ଉପହାର ଯଦ୍ଵାରା କାହାର ଜୀବନ ରକ୍ଷା ହେଇପାରିବ । ଯଦି ଆପଣମାନେ ବି ଏମିତି ସେବା ଦେବାକୁ ଚାହୁଛନ୍ତି ତେବେ ନିଶ୍ଚେ ନିଜର ଅଙ୍ଗ ଦାନ କରନ୍ତୁ ଓ ଆମ ଭଳି ଖୁସି ହୁଅନ୍ତୁ ।