ସାବଧାନ : ଏହି ସ୍ଥାନରେ କରୋନା ‘ଗୋଷ୍ଠୀ ସଂକ୍ରମଣ’ର ରୂପ ନେଉଥିବା ଆଶଙ୍କା

ସାରା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି, ତେଣୁ ଲକଡାଉନ ଭିତରେ ବି ସପ୍ତାହକୁ କେଉଁଠି ଦୁଇ ଦିନିଆ ସଟଡାଉନ ବ୍ୟବସ୍ଥା ହେଲାଣି ତ କେଉଁଠି କଟକଣାକୁ କଡ଼ାକଡ଼ି କରାଗଲାଣି । ତଥାପି ରାୟଗଡା ଜିଲ୍ଲାରୁ ଏକାବେଳକେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚମକେଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୪ ଜଣ ଗୋଟିଏ ଗାଁରୁ ।

ସୂଚନା ଅନୁଯାୟୀ ରାୟଗଡ଼ାର ଗୁଣୁପୁର ବ୍ଲକ୍ ବିଜେପୁର ଗାଁରୁ ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇସାରିଥିବାବେଳେ ଆଜି ପୁଣି ୭୪ ଜଣ ଚିହ୍ନଟ ହୋଇଛନ୍ତି । ବାକି ୨ ଜଣଙ୍କ ମଧ୍ୟରୁ ଜଣେ ରାୟଗଡ଼ା ସହରରୁ ହୋଇଥିଲାବେଳେ ଅନ୍ୟଜଣେ ଗୁଣୁପୁର ସହରରୁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ଯେଉଁଥିରୁ କେବଳ ବିଜେପୁର ଗାଁରୁ ୯୦ ଜଣ ।

ରିପୋର୍ଟ ଅନୁସାରେ ଉକ୍ତ ବିଜେପୁର ଗାଁର ପ୍ରଥମେ ଗୋଟିଏ ପରିବାରର ୩ ଜଣ କରୋନା ଆକ୍ରାନ୍ତ ହେଲେ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୩ ଜଣ ପରବର୍ତ୍ତୀ ମୂହୁର୍ତ୍ତରେ ସଂକ୍ରମିତ ହେଲେ । କିନ୍ତୁ ବର୍ତ୍ତମାନ ୭୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ଯାହାକି ଚିନ୍ତାର ବିଷୟ । ଏଣୁ ଏ ସଂକ୍ରମଣକୁ ଗୋଷ୍ଠୀ ସଂକ୍ରମଣ ସନ୍ଦେହ କରାଯାଉଛି । ଯଦି ଏହା ସତରେ ଗୋଷ୍ଠୀ ସଂକ୍ରମଣ ହେଇଥାଏ ତେବେ ସ୍ଥିତି ଅସମ୍ଭାଳ ହେଇଯିବାର ଆଶଙ୍କା ।

ସୂଚନାଯୋଗ୍ୟ ଯେ ଆଜି ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ଼ ହସ୍ପିଟାଲକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜେକେପୁର ସ୍ଥିତ କୋଭିଡ୍ ମେଡିକାଲ ଏବଂ ୫୬ ଜଣଙ୍କୁ ଗୁଣୁପୁର ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *