ସଂସ୍କାର: ଦିନକୁ ଦିନ ନୂଆ ନୂଆ ନୂଆ କଥା ଦେଖିବାକୁ ମିଳୁଛି ଅନୁଭବ ଆଉ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦର ଘଟଣାରେ। ନିକଟରେ ଅନୁଭବ ଦୁଇ ଦୁଇଟି ଭିଡ଼ିଓ ନିଜର ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ଦୁଇ ଷ୍ଟାର୍ ଦମ୍ପତିଙ୍କର ବୈବାହିକ କଥା।
ବିଜେଡି ସାଂସଦ ତଥା ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କ ଦୁଇ ଦୁଇଟି ଭିଡିଓ ନିଜର ସୋସିଆଲ ଆକାଉଣ୍ଟରେ ଅପଲୋଡ଼ କରି ଅନେକ କଥା କହିଥିଲେ। ସେ ନିଜ ସ୍ତ୍ରୀ ବର୍ଷାଙ୍କ ବିଷୟରେ କହିଥିଲେ। ଆଉ ନିଜ ଘର ଥାଉ ଥାଉ ତାଙ୍କ ବାପା ମାଆ ଭଡା ଘରେ ରହୁଥିବା କଥା ବି ପ୍ରକାଶ କରିଥିଲେ। ଯାହା ତାଙ୍କୁ ଅଧିକ କଷ୍ଟ ଦେଇଛି।
ଅନ୍ୟପକ୍ଷରେ ଅନୁଭବ ଦୁଇ ଦୁଇଟି ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ କରିବା ପରେ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସେ ଗତ ୨୨ ମଇ ସନ୍ଧ୍ୟାରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓକୁ ପ୍ରତିବାଦ କରି ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ଡିଭୋର୍ସ ମାମଲା ବିଚାରାଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ କରି ତାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି।
ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କୁ ଅପମାନିତ କରୁଛନ୍ତି ତାଙ୍କର ରାଜନେତା ପତି । ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରୁଛନ୍ତି। ବିଭିନ୍ନ ଆରୋପ ଲଗାଇ ଚରିତ୍ର ସଂହାର କରୁଛନ୍ତି। ଯାହା ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଛି। ଦୁହିଁଙ୍କ ଶାରୀରିକ ସଂପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଅଣିଛନ୍ତି ବୋଲି ଏତଲାରେ ବର୍ଷା ଦର୍ଶାଇଛନ୍ତି। ଅନୁଭବ ପୋଷ୍ଟ କରିଥିବା ଦୁଇଟି ଭିଡ଼ିଓକୁ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବର୍ଷା ପୁଲିସ ନିକଟରେ ନିବେଦନ କରିଛନ୍ତି।