କାଳେ କାଳେ ସୁନାକୁ ନେଇ ରହିଛି ଦୁର୍ବଳତା । କିଏ ସୁନାରେ ଗହଣା କରି ଦେହକୁ ସଜଉଛି ତ କିଏ ସୁନା ତିଆରି ଜିନିଷ ବ୍ୟବହାର କରୁଛନ୍ତି । ମୂଲ୍ୟବାନ ସୁନାକୁ ନେଇ କିଏ କେଉଁ ଉପାୟରେ ବ୍ୟବହାର କରୁଛି ତାହା ତାର ସାମର୍ଥ୍ୟ ଉପରେ ନିର୍ଭର କରୁଛି । ସୁନା ସୌଖିନ ମଣିଷ କିନ୍ତୁ ସବୁବେଳେ ବାହାନା ଖୋଜେ ତାକୁ ବ୍ୟବହାରରେ ଲଗେଇବାକୁ । ଏହି କ୍ରମରେ ଭିଏତନାମା ରାଜଧାନୀ ହନୋଇରେ ପ୍ରସ୍ତୁତ ହେଇଛି ଦୁନିଆର ପ୍ରଥମ ସୁନା ହୋଟେଲ ।
ସୂଚନା ଅନୁଯାୟୀ ଗତକାଲି ଜୁଲାଇ ୨ ତାରିଖ ଗୁରୁବାର ଦିନରୁ ଏହି ସୁନାରେ ତିଆରି ହୋଟେଲର ଶୁଭାରମ୍ଭ ହେଇଛି । ‘ଡ଼ୋଲସେ ହନୋଇ ଗୋଲଡ଼େନ୍ ଲେକ୍’ ନାମକ ଏହି ହୋଟେଲ ବିରାଟକାୟ ଗେଟ୍ ମଧ୍ୟ ସୁନାରେ ପ୍ରସ୍ତୁତ ହୋଇଛି । ୨୫ ମହଲା ବିଶିଷ୍ଟ ଏହି ପଞ୍ଚତାରକା ହୋଟେଲରେ ୪୦୦ ଟି ରୁମ୍ ରହିଛି । କବାଟରୁ ଆରମ୍ଭ କରି କପ୍ , ଟେବୁଲ୍ , ଝରକା, ପାଇପ୍ ,ଗାଧୁଆଘର, ଲାର୍ଟିନ ସବୁ ସୁନାରେ ତିଆରି ।
ହୋଟେଲର ଭିତର ସହିତ ବାହାର କାନ୍ଥରେ ବି ପାଖାପାଖି ୫୪ ହଜାର ବର୍ଗ ଫୁଟର ସୁନାପ୍ଲେଟେଡ୍ ଟାଇଲ୍ସ ଲଗାଯାଇଛି । ଏମିତିକି ହୋଟେଲ ଷ୍ଟାଫଙ୍କ ଡ୍ରେସ୍ କୋଡ୍ ବି ଲାଲ୍ ଏବଂ ସୁନେଲୀ ରଙ୍ଗ ରଖାଯାଇଛି । ହୋଟେଲର ଫର୍ଣ୍ଣିଚର ଏବଂ ସାଜସଜ୍ଜା ସବୁ ସୁନା କାରିଗରୀ ।