ସଂସ୍କାର : ବଙ୍ଗାଲ୍ କ୍ରିକେଟ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଋଦ୍ଧିମାନ ଶାହାଙ୍କ ବିବାଦ ପରେ ଏବେ ଆଉ ଏକ ଝଟକା ଦେବା ଭଳି ଖବର ଆସିଛି। ଭାରତର ପୂର୍ବତନ କ୍ରିକେଟର ଅରୁଣ ଲାଲ ସିନିୟର ଟିମର କୋଚ ପଦରୁ ଇସ୍ତଫା ଦେଇଛନ୍ତି। ଅରୁଣ ଲାଲ ବଙ୍ଗାଲକୁ ଏହି ସିଜିନରେ ସେମିଫାଇନାଲରେ ପହଞ୍ଚାଇଥିଲେ ।
ଆଉ ୩ ମାସ ପୂର୍ବରୁ ବିବାହ କରିଥିବା ଅରୁଣ ଲାଲ ବୟସାଧିକ୍ୟ ଓ କ୍ଲାନ୍ତ ହେଉଥିବା କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ସେ ହନିମୁନ ପାଇଁ ୨୮ ବର୍ଷୀୟ ପତ୍ନୀ ବୁଲବୁଲଙ୍କ ସହ ତୁର୍କୀ ଯିବେ ।
ଇସ୍ତଫା ଦେବା ପରେ ଅରୁଣ ଲାଲ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ଏହି ନିଷ୍ପତ୍ତି ନେଇଛି । ଏଥିରେ କୌଣସି ବିବାଦ ନାହିଁ । ମୁଁ ନିଜେ ବଙ୍ଗାଲ ଟିମର କୋଚ ପଦରେ ରହିବାକୁ ଇଚ୍ଛା ନଥିବା କହିଛନ୍ତି । ମୋର କାମ ୨୪ ଘଣ୍ଟା ଓ ୭ ଦିନ ପୂରା ରହିଥାଏ । ସେହି କାରଣରୁ ସାରା ଦିନ ଯାତ୍ରା କରିବାକୁ ପଡ଼ିଥାଏ । ତେଣୁ ଖୁବଶୀଘ୍ର ଥକିଯାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଅରୁଣ ଭାରତୀୟ ଦଳ ପାଇଁ ମଧ୍ୟ କ୍ରିକେଟ୍ ଖେଳିଛନ୍ତି। ସେ ୧୬ ଟି ଟେଷ୍ଟ ମ୍ୟାଚରେ ୬ଟି ଅର୍ଦ୍ଧଶତକୀୟ ସହାୟତାରେ ୭୨୯ ରନ୍ ସଂଗ୍ରହ କରିଥିଲେ। ସେ ୧୩ ଟି ODI ରେ ୧୨୨ ରନ୍ କରିଛନ୍ତି। ସେ ଏକ ଅର୍ଦ୍ଧଶତକୀୟ ପାରି ମଧ୍ୟ ଖେଳିଛନ୍ତି।
ପ୍ରଥମ ଶ୍ରେଣୀ କ୍ରିକେଟ୍ ବିଷୟରେ କହିବାକୁ ଗଲେ ଅରୁଣ ଲାଲ ୧୫୬ ଟି ମ୍ୟାଚରେ ୧୦୪୫୧ ରନ୍ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୩୦ ଟି ଶତକ ଏବଂ ୪୩ ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି।