ସଂସ୍କାର : ସାରା ରାଜ୍ୟରେ ବର୍ତ୍ତମାନ ବର୍ଷା ଲାଗିରହିଛି।ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବର୍ଷା ଆଉ ବନ୍ୟା ଭିତରେ ଏକ ଦୁଃଖଦ ଖବର୍ ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଖବର ରାଜ୍ୟରେ ଚର୍ଚ୍ଚା ହେଉଛି।
ଘଟଣାକ୍ରମ ଏହା ଯେ, ଗୋଟିଏ ଦେଢ଼ ମାସର ଶିଶୁଟି ବର୍ଷା ପାଣି ପିଇ ଏହି ଦୁନିଆ ଆଉ ନାହିଁ। ମାଆ ପାଖରେ ଶୋଇଥିବା ବେଳେ ଅଜାଣତରେ ସେ ଖଟ ତଳୁ ଖସି ପଡ଼ିଥିଲା। ସେପଟେ ରାତି ସାରା ବର୍ଷା ହେଉଥିବା କାରଣରୁ ଘରେ ପାଣି ପଶି ଯାଇଥିଲା। ଠିକ ସେତିକି ବେଳକୁ ପିଲାଟି କଡ ଲେଉଟାଇଥିଲା ଓ ଘର ଭିତରେ ପଶିଯାଇଥିବା ବର୍ଷା ପାଣିରେ ପଡିଯାଇଥିଲା ।
ଘରେ ପାଖାପାଖି ଅଂଟାଏ ପାଣି ରହିଥିଲା । ହେଲେ ଦୁନିଆ ଦେଖି ନ ଥିବା ଶିଶୁଟି କଣ ଜାଣିଥିଲା ସେ ଆଉ ବଂଚିବନି ବୋଲି। ମା ଯେତେବେଳେ ଗାଢ ନିଦରେ ଶୋଇଥିଲା ସେତେବେଳେ ଖସିପଡିଥିଲା କଅଁଳା ଶିଶୁ । ପାଣି ପିଇ ପିଇ ଶେଷରେ ଚାଲିଗଲା ଦେଢ ମାସର ଶିଶୁପୁତ୍ରର ଜୀବନ । ଛୁଆ କୁ ହରାଇ କୋହ ସମ୍ଭାଳିପାରୁନି ମା । ଆଉ ଆଇ ବୁଢି ବି ନାତି କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛି ।
ପୁରୀ ଜିଲ୍ଲା ଚିଲିକାନଗର ସ୍ଥିତ ସୂର୍ଯ୍ୟନଗର କଲୋନୀରୁ ଆସିଛି ଏଭଳି ଦୁଃଖଦ ଖବର । ନିଜ ଜନ୍ମିତ ପିଲାକୁ ହରାଇ କଇଁ କଇଁ ହୋଇ କାନ୍ଦୁଛି ମା । ଅଭାବ ଅନଟନ ଭିତରେ ପୁଣି ଏତେ ଦୁଃଖ । ଦେଢ ମାସର ଶିଶୁ ପୁତ୍ରକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକମାନେ ।