ସଂସ୍କାର : ନିଜର ନବଜାତ ଶିଶୁକୁ ନିଜେ ହତ୍ୟା କଲା ମାଆ। ନବଜାତ ଶିଶୁ ଥିଲା ମାତ୍ର ୫ ଦିନର । ଅନୈତିକ ସଂପର୍କ ଲୁଚାଇବାକୁ ଚେଷ୍ଟା କରି ସେ ଏହି ଜଘନ୍ୟକାଣ୍ଡ କରିଥିବା ପୋଲିସକୁ ସୂଚନା ଦେଇଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାର ବେଗୁନିଆ ପାଟଣା ଗାଁରୁ।
ରାଜ୍ୟ ଗଣମାଧ୍ୟମର ସୂଚନା ଅନୁସାରେ ଏହି ଗାଁର ଜଣେ ବିଧବା ଅନ୍ୟ ଜଣେ ପୁରୁଷ ସହିତ ପ୍ରେମ ସଂପର୍କ ରଖିଥିଲେ। ପ୍ରେମ ସଂପର୍କ ପରେ ଶାରୀରିକ ସଂପର୍କର ରୂପ ନେଇଥିଲା। ପରେ ବିଧବା ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଏହାକୁ ଲୁଚାଇବାକୁ ସେ ପାଖ ଦେଉଳି ଗାଁରେ ଆସି ରହୁଥିଲେ।
ତେବେ ଗତ ୫ ଦିନ ତଳେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହି କଥାକୁ ଲୁଚାଇବା ପାଇଁ ମହିଳା ଜଣକ ନବଜାତ ଶିଶୁକୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଥିଲେ।
ମେଡିକାଲ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ପୋଲିସକୁ ଦିଆଯାଇଥିଲା ଖବର। ଶିଶୁର ମୃତଦେହ ବ୍ୟବଚ୍ଛେଦ ପରେ ତାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିବା ପୋଲିସ କହିଛି। ମହିଳା ସୁସ୍ଥ ହେବା ପରେ ପୋଲିସ ତାଙ୍କ ରେକର୍ଡକୁ ବୟାନ କରି ସଂପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।