ସଂସ୍କାର : ଗତ ୨ ବର୍ଷ ପରେ ବିନା କଟକଣାରେ ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ଦୁର୍ଗା ପୂଜା । ଏଥିପାଇଁ ରାଜଧାନୀର ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସହରରେ ଯେମିତି ଶାନ୍ତି ଶୃଙ୍ଖଳାର ସହ ଶାରଦୀୟ ପୂଜା ଅନୁଷ୍ଠିତ ହେବ ସେ ନେଇ ସୋମବାର ବିଏମସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ବ୍ୟବସ୍ଥିତ ଢଙ୍ଗରେ ପୂଜା ହେବା ନେଇ ଗୁରୁତ୍ୱାରୋପ କରିଥିଲେ । ସଡକ. ଡ୍ରେନ, ପରିମଳ, ସର୍ବସାଧାରଣ ଶୌଚାଳୟ ପରି ନିରାପତା ଉପରେ ଆଲୋଚନା କରାଯାଇଥିଲା। ସହରରେ ବିଭିନ୍ନ ସ୍ଥାନରେ ସ୍ୱେରେଜ ସିଷ୍ଟମ ପାଇଁ ରାସ୍ତା ଖୋଳା ହୋଇପଡିଛି । ଏଥିସହ ଏକାଧିକ ଡ୍ରେନରେ ସ୍ଲାବ ପଡିପାରିନାହିଁ ।
ତେଣୁ ପୂଜା ସମୟରେ ଏଥିପାଇଁ କୌଣସି ଅସୁବିଧା ନ ହୁଏ , ତାହାକୁ ନଜରରେ ରଖି ଯଥାଶୀଘ୍ର ରାସ୍ତାଗୁଡିକର ଜରୁରୀ ମରାମତି କରିବା, ଡ୍ରେନରେ ସ୍ଲାବ ପକାଇବା , ରାସ୍ତାରେ ଲାଇଟ ମରାମତି କରିବା, ଅନାବଶ୍ୟକ ଗଛ କାଟିବା ପାଇଁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।
ମାଙ୍କ ମୂର୍ତି ବିସର୍ଜନ କରିବାପାଇଁ ୪ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯିବ। ପୂଜା ଅଂଚଳରେ ଯେପରି ସଡକ ଦୁର୍ଘଟଣା ନହୁଏ ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ମେୟର କହିଛନ୍ତି ।