ସଂସ୍କାର : ଅର୍ଚ୍ଚନା ନାଗର ହନିଟ୍ରାପରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଫସିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସାରା ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ଜଣେ ପରେ ଜଣେ ନେତା ଓ ମନ୍ତ୍ରୀଙ୍କ ସହିତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ଫଟୋ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଏସବୁ ଭିତରେ ବର୍ତ୍ତମାନ ଅର୍ଚ୍ଚନା ଅତୀତରେ ଦେଇଥିବା ଏକ ଏଫଆଇଆର୍ କପି ଭାଇରାଲ ହେବାରେ ଲାଗିଛି।
ଏହି ଏଫଆଇଆରରେ ଅର୍ଚ୍ଚନା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଏହି ଏଫଆଇଆରଟି ୨୦୨୦ ମସିହାର ହୋଇଥିବାବେଳେ । ଏଫଆଇଆରରେ କେଭିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଏହି ଏଫଆଇଆର କପି ଅନୁସାରେ, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଅର୍ଚ୍ଚନାଙ୍କୁ ତାଙ୍କ ରାଜନୈତିକ କ୍ୟାରିୟର ବନାଇଦେବା ନେଇ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିଲେ ବୋଲି ଅଭିଯୋଗ କରିଛନ୍ତି ଅର୍ଚ୍ଚନା । ଏହା ସହିତ କେଭି ସିଂହଦେଓ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଲେଖିଛନ୍ତି ଅର୍ଚ୍ଚନା । ଏହା ସହିତ ତାଙ୍କ ଘରକୁ ଗୁଣ୍ଡା ପଠାଇ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି ଏଥିପାଇଁ ତାଙ୍କୁ ଓ ତାଙ୍କ ପରିବାରକୁ ପୁଲିସ ସୁରକ୍ଷା ଦେବା ପାଇଁ ଏହି ଏଫଆଇଆରରେ ନିବେଦନ କରିଛନ୍ତି ଅର୍ଚ୍ଚନା। ତେବେ ୨୦୨୦ ମସିହାରେ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଅର୍ଚ୍ଚନା କେଭି ସିଂହଦେଓଙ୍କ ନାମରେ ଏହି ଏଫଆଇଆରଟି ଦେଇଥିବା ଜଣା ପଡ଼ିଛି।
ତେବେ କନକ ବର୍ଦ୍ଧନ ସିଂଦେଓଙ୍କ ଭଳି ରାଜ୍ୟର ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ବିରୋଧରେ ଥାନାରେ ଅର୍ଚ୍ଚନାଙ୍କ ଏପରି ଅଭିଯୋଗ, ପୂରା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି । ଏ ନେଇ କେଭିଙ୍କ ପ୍ରତିକ୍ରିୟା ମିଳିପାରି ନଥିବାବେଳେ ୨୦୨୦ ମସିହାର ଏହି ଅଭିଯୋଗଟିକୁ ସେତେବେଳେ ନିଶ୍ଚୟ ଚାପି ଦିଆଯାଇଥିଲା। ଏବେ ଅର୍ଚ୍ଚନା ଗିରଫ ହେବା ଓ ଧୀରେ ଧୀରେ ତାଙ୍କର ସମସ୍ତ କଳା କାରନାମା ସାମ୍ନାକୁ ଆସିବା କ୍ରମରେ ଏହି ଘଟଣା ମଧ୍ୟ ବାହାରକୁ ଆସିଛି।