ଦୀର୍ଘ ପ୍ରାୟ ୧୨ ବର୍ଷ ପରେ ବଜାରକୁ ଫେରିବ ନୋକିଆ ହ୍ୟାଣ୍ଡ ସେଟ୍ । ଆଣ୍ଟ୍ରୋଏଡ୍ ସ୍ମାର୍ଟ ଫୋନ୍ ନୋକିଆ ହ୍ୟାଣ୍ଡ ସେଟ୍ ସ୍ଥାନ ଏମିତି କବଜା କରିନେଲା ଯେ ବଜାରରୁ ଗାୟବ ହୋଇଯାଇଥିଲା ସେ । କିନ୍ତୁ ନୋକିଆକୁ ପୁଣିଥରେ ନୂଆ ରୂପରେ ବଜାର ପ୍ରବେଶ କରାଇବାର ଦାୟିତ୍ଵ ନେଇଛି ଫିନଲ୍ୟାଣ୍ଡର କମ୍ପାନୀ ଏଚ୍-ଏମ-ଡ଼ି ଗ୍ଲୋବାଲ । ଏ କମ୍ପାନୀ ବର୍ତ୍ତମାନ ନୋକିଆର ଫିଚର ଫୋନ୍ ସହିତ ସ୍ମାର୍ଟ ଫୋନ୍ ମଧ୍ୟ ତିଆରି କରୁଛି ।
୨୦୦୭ ମସିହାରେ ବଜାରରେ ଲଞ୍ଚ ହୋଇଥିଲା ନୋକିଆ ୫୩୧୦ ଏକ୍ସପ୍ରେସ୍ ମ୍ୟୁଜିକ୍ ମଡେଲ୍ ଯାହା ଖୁବ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । ଏହି ହ୍ୟାଣ୍ଡ ସେଟ୍ ପ୍ରଥମଥର ପାଇଁ ମ୍ୟୁଜିକ୍ ସିଷ୍ଟମ ଦେଇଥିଲା, ଫଳରେ ପ୍ରତିଟି ଲୋକଙ୍କ ହାତରେ ଏହି ମୋବାଇଲ୍ ଦେଖିବାକୁ ମିଳିଥିଲା । ହେଲେ ଆଣ୍ଡ୍ରୋଏଡ୍ ଫୋନର ବଜାର ପ୍ରବେଶ କ୍ରମେ ଏହି ଫୋନର ସତ୍ତା ହଜାଇଦେଲା । ତେବେ ପ୍ରାୟ ଦଶନ୍ଧି ପରେ ପୁଣିଥରେ ବଜାରରେ ନୂଆ ରୂପରେ ଦେଖାଦେବ ଏହି ନୋକିଆ ୫୩୧୦ ମଡେଲ୍ ।
ସୂଚନା ଅନୁଯାୟୀ ଭାରତରେ ଏହି ହ୍ୟାଣ୍ଡ ସେଟ୍ ନୋକିଆ ୫୩୧୦ ର ମୂଲ୍ୟ ୩୩୯୯ ଟଙ୍କା । ଗତ ଜୁନ ୨୩ ତାରିଖରେ ଅଫିସିଆଲି ଏହା ଭାରତରେ ଲଞ୍ଚ କରାଯାଇଛି । ରଙ୍ଗ ବିକଳ୍ପରେ ସେ କଳା, ନାଲି, ଧଳା ରଙ୍ଗ ଦେଇଛି । ଯଦି ଫିଚର୍ସ ଉପରେ ଆଲୋଚନା କରିବା ତେବେ ନୋକିଆ ୫୩୧୦ ରେ ୨.୪ ଇଞ୍ଚ (୬.୧ ସେମି) ଡିସପ୍ଲେ ରହିବ । ତାସହିତ ୦.୩ MP କ୍ୟାମେରା ଏବଂ ୧୨୦୦ mAh ବ୍ୟାଟେରି ରହିବ । ଏହାବ୍ୟତୀତ କାଲକୁଲେଟର, ଷ୍ଟପୱାଚ୍, କ୍ୟାଲେଣ୍ଡର, ଆଲାର୍ମ ମଧ୍ୟ ରହିଛି ଏହି ହ୍ୟାଣ୍ଡ ସେଟଟିରେ । ୦.୩ MP କ୍ୟାମେରାରେ ୨୪୦x ୩୨୦ ପିକ୍ସେଲର ରେଜୋଲୁସନ ସହିତ ଏକ TFT ସ୍କ୍ରିନ୍ ମଧ୍ୟ ରହିଛି ।