ସଂସ୍କାର : ରାଜ୍ୟରୁ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

୨୦୨୦ ମସିହାରୁ ଲାଗୁ ହୋଇଥିବା ଏହି କଟକଣାରୁ ଆଜି ରାଜ୍ୟ ସରକାର ଏହାକୁ ଉଠାଇ ଦେଇଛନ୍ତି। ସାଧାରଣ ସମାବେଶ, ମାସ୍କ ପିନ୍ଧିବା, ଛେପ ପକାଇବା ଇତ୍ୟାଦି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଏବଂ ଦଣ୍ଡବିଧାନକୁ ଉଚ୍ଛେଦ କରିଦିଆଯାଇଛି। ଯେତେବେଳେ ଆବଶ୍ୟକ ହେବ ଏବଂ ସ୍ୱେଚ୍ଛାକୃତ ଭାବରେ କୋଭିଡ୍ ଆଇନ୍ର ଅନୁସରଣ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।
ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଦସ୍ତଖତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପରେ କୋଭିଡ-୧୯ ନିୟମାବଳୀ ୨୦୨୦କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସାଧାରଣ ଲୋକମାନେ ଚାହିଁଲେ ନିଜେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକତା ଅନୁସାରେ ଏହି ନିୟମ ପାଳନ କରିପାରିବେ ।
ଉଳ୍ଲେଖଯୋଗ୍ୟ ଅତୀତରେ କୋଭିଡ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ। କୋଭିଡ ଆଇନ୍-୨୦୨୦ ଅନୁଯାୟୀ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଲଗାଉଥିବା ଲୋକଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ସେହି ସମୟରେ ବିନା ମାସ୍କରେ ବୁଲିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମଧ୍ୟ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।