ସଂସ୍କାର : ସମସ୍ତ ୬ଟି ଯାକ ଋତୁରେ ମିଳୁଥିବା ଫଳ ହେଉଛି କଦଳୀ। ଯିଏକି ଅନ୍ୟ ସମସ୍ତ ଫଳଠାରୁ ଟିକେ ଭିନ୍ନ। ଏହାକୁ ଖାଇବାକୁ ସବୁ ବର୍ଗର ଲୋକେ ପସନ୍ଦ କରିଥାନ୍ତି। ଶିଶୁଠାରୁ ଆରମ୍ଭ କରି ବୁଢା ମଉସା ପର୍ଯ୍ୟନ୍ତ ସମସ୍ତେ କଦଳୀ ଖାଇବାକୁ ପସନ୍ଦ କରନ୍ତି। କାରଣ ଏହି ଫଳ ଖାଇଲେ କିଛି ବି ସାଇଡ଼ ଇଫେକ୍ଟ ବାହାରି ନ ଥାଏ।
ବିଶେଷ କରି ମନ୍ଦିରରେ ଏହି ଫଳ ଭୋଗ ଆକାରରେ ଅଧିକାଂଶ ସମୟରେ ଭଗବାନଙ୍କ ନିକଟରେ ଲାଗି ହୋଇଥାଏ । କଦଳୀରୁ ବିଭିନ୍ନ ଖାଦ୍ୟପେୟ ପ୍ରସ୍ତୁତ ହୋଇଥାଏ । ପ୍ରତ୍ୟେକ ଦିନ ଏକ କଦଳୀ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ରେ ରହିଥାଏ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।
କଦଳୀ ଖାଇଲେ ମିଳେ ଏହିସବୁ ଆଶ୍ଚର୍ଯ୍ୟ ଫାଇଦା :
ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ରେ ରହିଥାଏ :
କଦଳୀରେ ଭରପୂର ମାତ୍ରାରେ ପୋଟାସିୟମ୍ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ବ୍ଲଡପ୍ରେସର୍ କଣ୍ଟ୍ରୋଲ୍ରେ ରହିବା ସହ ହୃଦରୋଗ ଭଲ କରିଥାଏ। ପ୍ରତିଦିନ ୧ଟି କଦଳୀ ଖାଇବା ଶରୀରର ପୋଟାସିୟମର ୯ ପ୍ରତିଶତ ଆବଶ୍ୟକତା ଯୋଗାଇଥାଏ। ତେଣୁ ଉଚ୍ଚ ରକ୍ତଚାପର ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।
ହୃତପିଣ୍ଡ ସୁସ୍ଥ ରହିଥାଏ :
କଦଳୀରେ ଭିଟାମିନ୍, ଆଇରନ୍, ଫାଇବର, ପୋଟାସିୟମ୍, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ରହିଥିବାରୁ ଏହା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ LDL ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି କ୍ଷେତ୍ରରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ।
କ୍ୟାନ୍ସରରୁ ରକ୍ଷା ମିଳିଥାଏ :
କ୍ୟାନ୍ସର ଏକ ମାରାତ୍ମକ ରୋଗ। ଏହାକୁ ଏଡାଇବା ପାଇଁ, ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କଦଳୀ ଖାଇବା ସର୍ବୋତ୍ତମ ବିକଳ୍ପ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଲେକ୍ଟିନ୍ ଥାଏ ଯାହା କୋଷଗୁଡ଼ିକୁ ଫ୍ରୀ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାଟି ଦିନରୁ କଦଳୀ ଖିଆଯାଏ, ତେବେ କ୍ୟାନ୍ସର ରୋଗ ହେବାର ଆଶଙ୍କା ବହୁଗୁଣିତ କମ୍ ହୋଇଥାଏ।
ସ୍ମରଣ ଶକ୍ତି ବଢିଥାଏ :
ପ୍ରତ୍ୟେକ ଦିନ କଦଳୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ।ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିବା ସହ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ। ଛୋଟ ପିଲାମାନଙ୍କୁ ନିୟମିତ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବାକୁ ଦେଲେ ସେମାନଙ୍କର ସ୍ମରଣ ଶକ୍ତି ଆଶ୍ଚର୍ଯ୍ୟଜନକ ରୂପେ ବୃଦ୍ଧି ପାଇବ।