ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏମିତି…

ସଂସ୍କାର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ‘ତଥ୍ୟ ସଂଗ୍ରହ ଚାଲିଛି’ ଏବେ ନୂଆ ଟ୍ରେଣ୍ଡ ହୋଇଛି ବୋଲି ସେ କହିଛନ୍ତି। ଆଗରୁ କହୁଥିଲେ ଆଇନ୍‌ ତା’ ବାଟରେ ଯିବ, ଏବେ କହୁଛନ୍ତି ତଥ୍ୟ ସଂଗ୍ରହ ଚାଲିଛି। ପଦ୍ମପୁରରେ ପ୍ରଚାର କରିବାକୁ ଯାଇ ସୂର୍ଯ୍ୟବଂଶୀ ଏପରି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ଏ ପ୍ରଦେଶର ନେତା। ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ସେ ଧାମନଗର, ପିପିଲି, ବିଜେପୁର, ପାଟକୁରା ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି କହିଥିଲେ। ଏଥିରେ ରାଜ୍ୟବାସୀ ବହୁତ ଖୁସି ଜାହିର କରିଥିଲେ। ଯେତେବେଳେ ମୁଁ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହେଲି, ଗତ ୨୪ ତାରିଖରେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲି।

୨୮ ତାରିଖରେ ପୁଣି ଥରେ ସେହି ପ୍ରଶ୍ନ ପଚାରିବାକୁ ଚାହିଁଥିଲି। ଆଉ ତା’ପରେ ଉତ୍ତର ପାଇଲି ‘ତଥ୍ୟ ସଂଗ୍ରହ ଚାଲିଛି’। ଆଶା କରୁଛି ସପ୍ତାହେ ବା ଦୁଇ ସପ୍ତାହରେ ରାଜ୍ୟବାସୀ ଏ ସମ୍ପର୍କରେ ଜାଣିପାରିବେ ବୋଲି ସୂର୍ଯ୍ୟବଂଶୀ କହିଛନ୍ତି। ସେ ଆହୁରି କହିଛନ୍ତି, ଯେଉଁଠି ଉପନିର୍ବାଚନ ହେଉଛି, ସେହି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଉଛନ୍ତି ବୋଲି ଘୋଷଣା କରୁଛନ୍ତି। ସେହି ଟ୍ରେଣ୍ଡକୁ ଦେଖିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଆସିଲେ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବେ ବୋଲି ନିଶ୍ଚିତ ଘୋଷଣା କରିବେ ବୋଲି ସେ କହିଛନ୍ତି।

ପଦ୍ମପୁରରେ ସାଧାରଣ ଲୋକଙ୍କ ମୁଡ୍‌ କଣ ପ୍ରଶ୍ନରେ ସୂର୍ଯ୍ୟବଂଶୀ କହିଛନ୍ତି, ସପ୍ତାହେ ତଳେ ନିର୍ବାଚନ ପ୍ରଚାର କରିବାକୁ ମୁଁ ଯାଇଥିଲି। ସେତେବେଳେ ସାଧାରଣ ଲୋକମାନେ ନିର୍ବାଚନ ମନସ୍କତା ହୋଇନଥିଲେ। ବର୍ତ୍ତମାନ ସାଧାରଣ ଲୋକ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପରଖି ସାରିଲେଣି। ଯିଏ ସାଧାରଣ ଲୋକଙ୍କ କଥା ଚିନ୍ତା କରୁଛନ୍ତି, ତାଙ୍କର ସୁବିଧା ଓ ଅସୁବିଧାରେ ଛିଡ଼ା ହେଉଛନ୍ତି, ତାଙ୍କୁ ସେମାନେ ଭୋଟ୍‌ ଦେବେ। ଏବେ ସମଗ୍ର ଓଡ଼ିଶାରେ ସରକାର ବିରୋଧ ବାତାବରଣ ପ୍ରବାହିତ ହେଉଛି। ପଦ୍ମପୁରରେ ତା’ର ଦୁଇ ଗୁଣ ମାତ୍ରାରେ ପ୍ରବାହିତ ହେଉଛି। ପଦ୍ମପୁର ହେଉଛି ଆନ୍ଦୋଳନର ଏନ୍ତୁଡ଼ିଶାଳ। ଯେଉଁଠି ଆନ୍ଦୋଳନ ରହିଛି, ସେଠି ସ୍ୱାଭିମାନ ରହିଛି। ଏହି ସ୍ୱାଭିମାନ ଅଞ୍ଚଳରେ ନିଶ୍ଚିତ ଭାବେ ପରିବର୍ତ୍ତନ ହେବ।

Leave a Reply

Your email address will not be published. Required fields are marked *