ସଂସ୍କାର : ପଡୋଶୀ ଚୀନ ସମେତ ଅନ୍ୟାନ୍ୟ ରାଷ୍ଟ୍ରଗୁଡିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଭାରତରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି। ପରିସ୍ଥିତିକୁ ଦେଖି ଭାରତରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶରେ କରୋନା ସ୍ଥିତି ଉପରେ ସମୀକ୍ଷା ବୈଠକ କରିଛନ୍ତି।
ବୈଠକରେ ପ୍ରଧାନମନ୍ତ୍ରୀ ଟିକାକରଣ ସ୍ଥିତି, ନୂଆ ପ୍ରଜାତି ଭୂତାଣୁର ଜଟିଳତା, ସ୍ବାସ୍ଥ୍ୟ ଭିତ୍ତିଭୂମି ଆଦି ଉପରେ ସମୀକ୍ଷା କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ କରୋନା ନମୁନା ପରୀକ୍ଷା ବଢାଇବା ସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ନୂଆ ପ୍ରଜାତିର ଭୂତାଣୁର ସ୍ବାସ୍ଥ୍ୟଗତ ଜଟିଳତା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।
ନୂଆ ଭୂତାଣୁ ସଂକ୍ରମିତଙ୍କୁ ଠାବ ନିମନ୍ତେ ପ୍ରତ୍ୟେକ ସଂକ୍ରମିତଙ୍କ ଜିନୋମ ସିେକ୍ବନ୍ସ କରିବାକୁ ସେ କହିଛନ୍ତି। ଜିନୋମ ସିେକ୍ବନ୍ସ ନିମନ୍ତେ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ନମୁନା ପରୀକ୍ଷାଗାରକୁ ପଠାଇବାକୁ କୁହାଯାଇଛି। ବିମାନବନ୍ଦରଗୁଡିକରେ ବିଦେଶାଗତ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭୂତାଣୁ ଏବେ ସୁଦ୍ଧା ଶେଷ ହୋଇ ନାହିଁ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ।
ପୂର୍ବରୁ ରହିଥିବା ସମସ୍ତ କୋଭିଡ୍ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୁନର୍ବାର ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଡାକ୍ତରଖାନାଗୁଡିକର ଭିତ୍ତିଭୂମି ଯଥା ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପଲବ୍ଧକୁ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ସତର୍କତା ସର୍ବଦା ପାଳନ କରାଯିବା ଦରକାର। ପ୍ରତ୍ୟେକ ଲୋକ ଯେପରି ତୃତୀୟ ପାନ କରୋନା ଟିକା ନେବେ ତାହା ନିଶ୍ଚିତ କରାଯିବା ଦରକାର।
ଏହି ସମୀକ୍ଷା ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ନିତି ଆୟୋଗ ସଦସ୍ୟ ଭିକେ ପଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ।