ସଂସ୍କାର: ଚଷମା ବ୍ୟବହାର କରିବାକୁ କୁଣ୍ଠାବୋଧ କରୁଥିବା ଲୋକମାନେ ବର୍ତ୍ତମାନ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି। କାରଣ ସେମାନଙ୍କ ମତରେ ଚଷମା ପିନ୍ଧିଲେ ଷ୍ଟାଇଲ୍ କମିଯାଉଛି। ଏହା ପ୍ରାୟତଃ ଯୁବପିଢ଼ିଙ୍କ କ୍ଷେତ୍ରରେ ଦେଖାଯାଏ। କଣ୍ଟାକ୍ଟ ଲେନ୍ସକୁ ଆଜିର ଯୁବ ପିଢ଼ି ଖୁବ୍ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି।
ଅନ୍ୟପକ୍ଷରେ ବଜାରରେ ବି ରଙ୍ଗବେରଙ୍ଗର କଣ୍ଟାକ୍ଟ ଲେନ୍ସ ବି ବିକ୍ରି ହେଉଛି। ଯାହା ଯୁବପିଢ଼ିଙ୍କ ଷ୍ଟାଇଲ୍ , ଫେସନକୁ ଦ୍ବିଗୁଣିତ କରୁଛି। କାରଣ କଣ୍ଟାକ୍ଟ ଲେନ୍ସ ଲଗାଇବା ଆଖିକୁ ଏକ ନୂଆ ପରିଚୟ ଦେବା ସହ, ମୁହଁ ମଧ୍ୟ ସୁନ୍ଦର ଦେଖାଯାଏ। ଯାହା ପାଇଁ ଯୁବ ପିଢ଼ି ଆଗ୍ରହ ଦେଖାଉଛନ୍ତି। କହିବାକୁ ଗଲେ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଯୁବପିଢ଼ିଙ୍କ ଏକ ପ୍ରକାରର ସୌକ ପାଲଟିଲାଣି।
ଏହି ଯୁବକଙ୍କୁ ଅନ୍ଧ କରିଦେଲା କଣ୍ଟାକ୍ଟ ଲେନ୍ସ :
ତେବେ ଏହି କଣ୍ଟାକ୍ଟ ଲେନ୍ସ କେତେ ଯେ ଆପଣଙ୍କ ପାଇଁ ମାରାତ୍ମକ ହୋଇପାରେ ତାହା ଆପଣ କେବେ ଭାବି ନଥିବେ। ଜଣେ ଜଣେ ବ୍ୟକ୍ତି ନିୟମିତ କଣ୍ଟାକ୍ଟ ଲେନ୍ସ ପରିଧାନ କରିଥାନ୍ତି। ଏମିତିକି ରାତି ସମୟରେ ତାହାକୁ ପିନ୍ଧି ଶୋଇପଡ଼ନ୍ତି। ଆଉ ଏହି ଅଭ୍ୟାସ ତାଙ୍କ ପାଇଁ ଆଣିଥାଏ ବଡ଼ ବିପଦ। ତେବେ ଏମିତି ଏକ ସମାନ ଘଟଣା ଘଟିଛି ଜଣେ ଯୁବକଙ୍କ ସହ।
ସେ ରାତିରେ କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇଯାଇଥିଲେ। ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୋଟିଏ ଆଖିକୁ ଆଉ କିଛି ବି ଦେଖାଯାଉ ନାହିଁ। ଏହି ଘଟଣା ଘଟିଛି ଫ୍ଲୋରିଡାର ଜଣେ ବ୍ୟକ୍ତି ମାଇକ୍ କ୍ରୁମୋହଲଙ୍କ କ୍ଷେତ୍ରରେ। ତାଙ୍କ ବୟସ ମାତ୍ର ୨୧ ବର୍ଷ। ସେ ଦିନ ସାରା କାମ କରି ଥକି ଯାଇଥିଲେ। ତେଣୁ ଘରକୁ ଫେରିବା ପରେ ଶୋଇପଡ଼ିଥିଲେ। ଆଉ କଣ୍ଟାକ୍ଟ ଲେନ୍ସ ବାହାର କରିବା ପାଇଁ ଭୁଲିଯାଇଥିଲେ।
ମିଡ଼ିଆ ରିପୋର୍ଟ ଅନୁସାରେ ପାଖାପାଖି ୭ ବର୍ଷ ହେବ ସେ ଆଖିରେ ଲେନ୍ସ ବ୍ୟବହାର କରି ଆସୁଛନ୍ତି। ଏହାରି ଭିତରେ ତାଙ୍କ ଆଖିର ପିଙ୍କ୍ ଆଇ ଇନ୍ଫେକ୍ସନ ମଧ୍ୟ ହୋଇଥିଲା। ସେ ଏହାକୁ ସାମାନ୍ୟ ଭାବି ଅଣଦେଖା କରିଥିଲେ। କିନ୍ତୁ ଦିନକୁ ଦିନ ଏହା ଅଧିକରୁ ଅଧିକ ହେବାରେ ଲାଗିଲା। ଯାହାର ପରିଣାମ, ଆଜି ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି।
ତେବେ ଡାକ୍ତରଙ୍କ କହିବାନୁଯାୟୀ, ଆଖିରେ ଇନ୍ଫେକ୍ସନ ହେବା ଦ୍ୱାରା ଏଭଳି ଘଟିଛି। ବିରଳ ଫ୍ଲେସ୍ ଇଟିଂ ବା ମାଂସ ଖିଆ ବ୍ୟାକ୍ଟେରିଆ ଯୋଗୁଁ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ବ୍ୟାକ୍ଟେରିଆର କାମ ହେଲା ସେ ମାଂସକୁ କୋରି କୋରି ନଷ୍ଟ କରିଦେବ ବା ଆଖିର ଟିସୁ ଗୁଡ଼ିକୁ ଖାଇଦେବ। ତେବେ କଣ୍ଟାକ୍ଟ ଲେନ୍ସ ଲଗାଇ ଶୋଉଥିବା ଲୋକଙ୍କ ପାଇଁ ଏହା ଏକ ଚେତାବନୀ ହୋଇପାରେ। ସବୁବେଳେ କଣ୍ଟାକ୍ଟ ଲେନ୍ସ ଲଗାଇ ନଶୋଇବାକୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଛନ୍ତି।