ସଂସ୍କାର : ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅଭିନେତା ତଥା ‘ସିନେ କଳାକାର ସଂଘ’ ସଂପାଦକ ଶ୍ରୀତମ ଦାସ। ସେ କହିଛନ୍ତି, ସରକାର ଯଦି ଏହି ମାମଲାରେ ହସ୍ତକ୍ଷେପ କରିଥାନ୍ତେ, ତେବେ ପିଣ୍ଟୁଙ୍କର ଏମିତି ଅକାଳ ମୃତ୍ୟୁ ହୋଇନଥା’ନ୍ତା। ଆମେ ଦେଖିଛନ୍ତି ସରକାର କିଛି ଅସୁସ୍ଥ ଅଧିକାରୀଙ୍କୁ ଏୟାରଲିଫ୍ଟ କରି ରାଜ୍ୟ ବାହାରର ବଡ଼ ବଡ଼ ଡାକ୍ତରଖାନାକୁ ଉନ୍ନତ ଚିକିତ୍ସା ପାଇଁ ପଠାଇଥିଲେ। ପିଣ୍ଟୁଙ୍କ କ୍ଷେତ୍ରରେ ମଧ୍ୟ ଏହା କରାଯାଇପାରିଥା’ନ୍ତା।
ଶ୍ରୀତମ ପ୍ରଶ୍ନ କରିଛନ୍ତି, ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି। ସେଥିପାଇଁ କିଛି ସାହାଯ୍ୟ ଦରକାର ବୋଲି ସରକାରଙ୍କୁ କ’ଣ ଚିଠି ଲେଖି ଜଣାଇବାକୁ ପଡ଼ିଥା’ନ୍ତା ନା ଦାବିପତ୍ର ଦେବାକୁ ପଡ଼ିଥା’ନ୍ତା? ଏବେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଯେଉଁ ସୂତ୍ରରୁ ମୁଖ୍ୟମନ୍ତ୍ରୀ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ କଥା ଜାଣିଲେ, ସେହି ସୂତ୍ରରୁ ତାଙ୍କ ଅସୁସ୍ଥ କଥା ବି ଜାଣିପାରିଥା’ନ୍ତେ। ମାସେ କାଳ ପିଣ୍ଟୁ ନନ୍ଦ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେତେବେଳେ କ’ଣ ମୁଖ୍ୟମନ୍ତ୍ରୀ ଜାଣି ପାରିଲେ ନାହିଁ? ଓଡ଼ିଶାର ସବୁ ଖବର ତାଙ୍କ ପାଖକୁ ଯାଉଛି। ଏ କଥାଟି କ’ଣ ଯାଇନଥିବ? ତେଣୁ କଳାକାରଟିଏ ମରିଗଲା ପରେ କେବଳ ଶୋକ ଜଣାଇବାର କିଛି ମାନେ ନାହିଁ।
ସେ ଆହୁରି କହିଛନ୍ତି, ହକି ବିଶ୍ବକପ୍ ସମୟରେ ରାଜ୍ୟ ବାହାରୁ କଳାକାର ଆସିଲେ। ଗୋଟିଏ ଗୋଟିଏ ପ୍ରଦର୍ଶନ ପାଇଁ କୋଟି କୋଟି ଟଙ୍କା ନେଇ ଚାଲିଗଲେ। କିନ୍ତୁ ଓଡ଼ିଶା ମାଟିର ହୋଇ ସୁଦ୍ଧା ଏତେ ବଡ଼ ସୁଯୋଗ ଆମକୁ ଦିଆଗଲା ନାହିଁ। ଆମେ ସବୁବେଳେ ଶୁଣୁ ଯେ ମୁଖ୍ୟମନ୍ତ୍ରୀ କାହା ସହିତ ମିଶନ୍ତି ନାହିଁ। ସେ କାହାକୁ ଦେଖା କରନ୍ତି ନାହିଁ। କିନ୍ତୁ ଆମେ ଦେଖିବାକୁ ପାଉଛୁ ଯେ ବାହାରୁ ଆସୁଥିବା କଳାକାର ଓ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଭାବେ ଟି-ସାର୍ଟ ଆଦି ଦେଉଛନ୍ତି।
ଶ୍ରୀତମ ଆହୁରି ବି କହିଛନ୍ତି ଯେ, ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କେବେ ବି ଆମ କଳାକାରମାନଙ୍କୁ ନେଇ ଗଠନ ହୋଇଥିବା କୌଣସି ସଂଘର ସଦସ୍ୟଙ୍କୁ ଭେଟି ନାହାନ୍ତି କି ସେମାନଙ୍କ ସୁବିଧା, ଅସୁବିଧା ସଂପର୍କରେ ପଚାରି ବୁଝି ନାହାନ୍ତି। ଆମେ ବି ଚାହୁ ଯେ ଘରର ମୁଖିଆ (ମୁଖ୍ୟମନ୍ତ୍ରୀ)ଙ୍କ ନିକଟରେ ଆମ ସମସ୍ୟା କହିବାକୁ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ।
ମନୋରଞ୍ଜନ ଜଗତ ସହିତ ଜଡ଼ିତ ଲୋକଙ୍କ ପାଇଁ ଏକ ପାଣ୍ଠି ଗଠନ କରିବାକୁ ଶ୍ରୀତମ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏକ ପାଣ୍ଠି ଗଠନ କରାଯାଉ। ସେଥିରୁ ଯେଉଁ ସୁଧ ମିଳିବ, ତାକୁ କୌଣସି କଳାକାର ବା ଟେକ୍ନିସିଆନ ବଡ଼ ରୋଗରେ ପଡ଼ିଲେ ଖର୍ଚ୍ଚ କରାଯାଇପାରିବ। ସେହିପରି ଯଦି ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିପାରିବେ ନାହିଁ, ତା’ହେଲେ ଏକ ସଂସ୍ଥା ଗଠନ କରନ୍ତୁ, ଯେଉଁଠି ଆମେ ଆମ କଥା ରଖିପାରିବୁ।