ବିବାହ ପରେ ଜଣେ ଝିଅ ନିଜ ପରିବାର ଛାଡ଼ି ଆଉ ଏକ ପରିବାରକୁ କେବଳ ନିଜ ସ୍ୱାମୀ ଭରସାରେ ଯାଇଥାଏ । କିନ୍ତୁ ଯଦି ସେହି ସ୍ୱାମୀ ରାକ୍ଷସ ପାଲଟି ଯାଏ ଏବଂ ନିଜ ସ୍ତ୍ରୀକୁ ନିର୍ଯାତନା ଦେଇଥାଏ ତେବେ ଏହାଠାରୁ ଆଉ ଦୁଃଖ ର ବିଷୟ କଣ ହୋଇପାରେ । ଏହିଭଳି ଏକ ଅତି ଦୁଃଖଦ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ମାରଣାସ୍ତ୍ରରେ ହତ୍ୟା କରିଛି । ତେବେ ସୂଚନା ଅନୁଯାୟୀ ଏହି ଘଟଣା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଗଣ୍ଡାପାଞ୍ଚୁ ଗାଁରେ ଘଟିଛି ।
ଘଟଣା ଏହା ଯେ ଗଣ୍ଡାପାଞ୍ଚୁ ଗାଁର ସ୍ୱାମୀ ଈଶ୍ୱରୀ ନାୟକ ଏବଂ ସ୍ତ୍ରୀ ଦୁର୍ଲାଭଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡ଼ା ଲାଗି ରହିଥିଲା । କିନ୍ତୁ ସବୁଦିନ ଭଳି ଆଜି ଘଟଣା ଦିନ ଝଗଡା ଅଧିକ ଉଗ୍ର ରୂପ ନେଇଥିଲା । ଯେଉଁ କାରଣରୁ ସ୍ୱାମୀ ନିଜ ସ୍ତ୍ରୀ କୁ ନୃଶଂସ ଭାବରେ ଧାରୁଆ ମାରଣାସ୍ତ୍ର ରେ ହତ୍ୟା କରି ମାରଣାସ୍ତ୍ରକୁ ଧରି ଗାଁଟା ସାରା ବୁଲି ବୁଲି ଆତଙ୍କ ଖେଳାଇ ଥିଲା ।
ଘଟଣା ଘଟିବା ପରେ ଘଟଣା ସ୍ଥଳରେ ପୁରୁଣା କଟକ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ୱାମୀକୁ ଗିରଫ କରିଛି ଏବଂ ଥାନାକୁ ନେଇଛି ।
ସେଠାରେ ଅଭିଯୁକ୍ତ ନୃଶଂସ ସ୍ୱାମୀକୁ ପୋଲିସ ପଚରା ଉଚୁରା କରିଛି । ମୃତକ ଦୁର୍ଲଭାଙ୍କ ଶବକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଯାଇ ଦୁର୍ଲଭାଙ୍କର ଶବ ସତ୍କାର କରାଯିବ । ଆଉ ବର୍ତ୍ତମାନ ଏହି ଘଟଣା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।