ବୁଲା କୁକୁର କାମୁଡ଼ାରେ କୁନି ଝିଅର ମୃତ୍ୟୁ; ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ପୂର୍ବରୁ ଚୋବାଇଥିଲା ୪୦ ଲୋକଙ୍କୁ…

ସୂଚନାନୁଯାୟୀ ୟୁପିର କୋଞ୍ଚ ତହସିଲ ଅନ୍ତର୍ଭୂକ୍ତ କ୍ୟୋଲାରି ଗ୍ରାମର ଏକ ଅଢ଼େଇ ବର୍ଷ ଝିଅକୁ କାମୁଡ଼ିଦେଲା କୁକୁର । ଝିଅଟି ମାମୁଘର ବୁଲିବାକୁ ଯାଇଥିବା ବେଳେ ଏକ ବୁଲା କୁକୁର କାମୁଡ଼ି ଦେଇଥିଲା । ଗ୍ରାମବାସୀଙ୍କ କହିବାନୁଯାୟୀ ଝିଅକୁ କାମୁଡିବା ପରେ କୁକୁରଟି ମରିଯାଇଥିଲା । କୁକୁର କାମୁଡ଼ିବା ପରେ ପରିବାରଲୋକେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ପରିବର୍ତ୍ତେ ଗୁଣି ଗାରେଡ଼ିର ସାହାଯ୍ୟ ନେଇଥିଲେ।

ପରେ କୁକୁର ଭଳି ଆଚରଣ କଲା କୁନି ଝିଅଟି । ଅଜାଣତରେ ୪୦ ଲୋକଙ୍କୁ କାମୁଡ଼ିବା ସହ ରାମ୍ପୁଡ଼ି ମଧ୍ୟ ଦେଲା । ଶୁକ୍ରବାର ଝିଅଟି ଅଚେତ୍‌ ହୋଇ ପଡ଼ିବା ପରେ ଘର ଲୋକେ ତାକୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସୋମବାର ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶେଷରେ ଜଳାନ୍ତକ ରୋଗରେ ପ୍ରାଣ ହରାଇଦେଲା କୁନି ଝିଅଟି ।

ବର୍ତ୍ତମାନ ସଂକ୍ରମିତ ୪୦ ଜଣ ଲୋକ ରାବିସ୍‌ ଭ୍ୟାକ୍ସିନ୍‌ ନେଇ ସାରିଛନ୍ତି । ଏବେ କିଛି ଭୟଭୀତ କରିବାର ନାହିଁ। ସେମାନେ ବର୍ତ୍ତମାନ ବିପଦମୁକ୍ତ।