ଶରୀର ପୋଡିଯାଇଛି କିନ୍ତୁ ସପ୍ନ ନୁହେଁ । ମେଡିକାଲ ବେଡ଼ରେ ଥାଇ ବି ଆଇଏଏସ୍ ହେବାପାଇଁ ପ୍ରସ୍ତୁତି…

ଶରୀର ପୋଡିଛି ହେଲେ ଆଶା ମରିନି ବରଂ ଆହୁରି ଶକ୍ତ ହୋଇଛି ମନୋବଳ । କଟକ ବଡ଼ ମେଡିକାଲରେ ଚିକିତ୍ସିତ ରଶ୍ମିତାଙ୍କ ସଂଘର୍ଷ କାହାଣୀର ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ହସ୍ପିଟାଲ ବେଡରେ ଥାଇ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ । ଦେହର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲେ ବି ମନୋବଳ ମାରି ନାହାନ୍ତି କି ପରିସ୍ଥିତିକୁ ଦ୍ୱାହି ଦେଇ ହାର୍ ମାନି ନାହାନ୍ତି । ଯୌବ-ନରେ ସଂସାର ଗଢିବାକୁ ଶାଶୁଘରକୁ ଆସିଥିଲେ ରାୟଗଡା ଜିଲ୍ଲା ଗୁଣୁପୁର ଜଗନ୍ନାଥ ନଗରର ଉଚ୍ଚ ଶିକ୍ଷିତା ରଶ୍ମିତା ପାଣିଗ୍ରାହୀ । ସ୍ୱାମୀଙ୍କ ସହ ସଂସାର ଗଢିବା ସହ ଆଇଏଏସ ହେବେ । ହେଲେ ସଂସାର ଭିତରେ ସ୍ନେହ, ଶ୍ରଦ୍ଧା, ସମ୍ମାନ ବଦଳରେ ବସା ବାନ୍ଧିଲା ଯୌତୁକ ଲୋଭ । ସ୍ତ୍ରୀଙ୍କ ପାଇଁ ସୈତାନ ପାଲଟିଗଲେ ପଦ୍ମପୁର ଅଂଚଳର ସ୍ୱାମୀ ରାମଚନ୍ଦ୍ର ପାଢୀ।

ଯୌତୁକ ପାଇଁ ବାରମ୍ବାର ଦାବି କରୁଥିବା ସ୍ୱାମୀ ୨୦୨୨ ଅକ୍ଟୋବର ୨୮ ତାରିଖରେ ରାକ୍ଷସ ପାଲଟିଗଲେ । କିରୋସିନି ଢାଳି ମହିଳାଙ୍କୁ ଜାଳିଦେଲେ ସ୍ୱାମୀ ଓ ଦେଢଶୁର । ଡାକ୍ତରଖାନାରେ ଜୀବନ ମରଣ ସହ ସଂଘର୍ଷ କଲେ ରଶ୍ମିତା । ୨୦୨୨ ଅକ୍ଟୋବର ମାସରୁ ଡାକ୍ତରଖାନାରେ ସମୟ କାଟିବା ବେଳେ ଆଇଏଏସ ହେବା ପାଇଁ ପୁଣି ଥରେ ପଢାପଢି ଆରମ୍ଭ କଲେ । ଦେଖନ୍ତୁ ରଶ୍ମିତାଙ୍କ ଭିଡିଓ…

ଏସସିବି ମେଡିକାଲ ବର୍ଣ୍ଣ ୟୁନିଟ୍ ରେ ଚିକିତ୍ସିତ ହେବା ସମୟରେ ୟୁପିଏସସି ପ୍ରିଲିମ୍ ପରୀକ୍ଷା ଦେଇ ସାରିଛନ୍ତି । ଯଦିଓ ପ୍ରଥମ ଥର ପ୍ରିଲିମ୍ ପାସ କରିପାରିନାହାନ୍ତି, କିନ୍ତୁ ଆଶା ଛାଡି ନାହାନ୍ତି, ପୋଡା ଶରୀର ଯନ୍ତ୍ରଣାକୁ ଭୁଲି ଆଇଏଏସ୍ ହେବା ପାଇଁ ପାଠପଢା ଜାରି ରଖିଛନ୍ତି ରସ୍ମିତା ପାଣିଗ୍ରାହୀ । ଏବେ ବି ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ରଶ୍ମିତା । ଶରୀର ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ୩ଟି ଅପରେସନ୍ ସରିଛି । ଆହୁରୀ ୨ ବର୍ଷ ଯାଏଁ ଚିକିତ୍ସା ଜାରି ରହିବ, ଏହାରି ଭିତରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ରଶ୍ମିତାଙ୍କ କାହାଣୀ ଅନ୍ୟ ନିର୍ଯାତିତ ମହିଳାଙ୍କୁ ପ୍ରେରଣା ଯୋଗାଇବ ।